Categories: ଜାତୀୟ

ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ସେନାମୁଖ୍ୟ

ନୂଆଦିଲ୍ଲୀ,୧୮।୪: ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ନୂଆ ସେନା ମୁଖ୍ୟ ହେବେ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାର ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଭାବେ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପ୍ରିଲ ୩୦ରେ ମନୋଜ ପାଣ୍ଡେଙ୍କୁ ଭାରତୀୟ ସେନାର ଦାୟିତ୍ୱ ଦିଆଯିବ। ମନୋଜ ପାଣ୍ଡେ ଦେଶର ପ୍ରଥମ ଇଞ୍ଜିନିୟର, ଯାହାଙ୍କୁ ସେନାମୁଖ୍ୟଙ୍କ ଦାୟିତ୍ୱ ମିଳିବ। ବର୍ତ୍ତମାନର ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଭଣେ ଚଳିତ ମାସ ଶେଷରେ ଅବସର ନେବେ। ନରଭଣେଙ୍କ ପରେ ମନୋଜ ପାଣ୍ଡେ ସେନାର ସବୁଠାରୁ ବରିଷ୍ଠ ଅଧିକାରୀ ଥିବାରୁ ତାଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ଅନ୍ୟପଟେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ପଦବୀ ପ୍ରତିଯୋଗିତାରେ ଜେନେରାଲ ଏମ୍‌ ନରଭଣେ ଆଗରେ ଥିବା ଚର୍ଚ୍ଚା ହେଉଛି। ୩୯ବର୍ଷର କ୍ୟାରିୟରରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପଶ୍ଚିମ ଥିଏଟରରେ ଏକ ଇଞ୍ଜିନିୟର ବ୍ରିଗେଡ, ଲଦାଖ ସେକ୍ଟରରେ ଏକ ପର୍ବତୀୟ ବିଭାଗ ଏବଂ ଉତ୍ତର-ପୂର୍ବରେ ଏକ କୋରର ଦାୟିତ୍ୱ ସମ୍ଭାଳିଛନ୍ତି। ପୂର୍ବୀ କମାଣ୍ଡରର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର କମାଣ୍ଡର-ଇନ୍‌-ଚିଫ୍‌ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।

Share