ବାଲିଚନ୍ଦ୍ରପୁର,୨୬।୪ (ସ୍ବ.ପ୍ର.) ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ବିଦ୍ୟୁତ୍ ଉପଖଣ୍ଡ ଅଧୀନରେ ଗ୍ରାମାଞ୍ଚଳରେ ଥିବା ଏଲ୍ଟି ଲାଇନ୍ ମରାମତି ହେଉନାହିଁ। ଫଳରେ କେତେକ ଜାଗାରେ ବିଦ୍ୟୁତ୍ ତାର ଝୁଲି ରହୁଥିବା ବେଳେ କେତେକ ସ୍ଥାନରେ ଗଛଡ଼ାଳ ପଡ଼ି ତାର ଶୋଇ ରହିଛି। ଅନେକସ୍ଥାନରେ ଟ୍ରାନ୍ସଫର୍ମରରେ ଲଟା ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ବାରମ୍ବାର ବିଦ୍ୟୁତ୍ କାଟ ହେବା ସାଙ୍ଗକୁ ଲୋ ଭୋଲଟେଜର ସମସ୍ୟା ଦେଖାଯାଉଛି। କର୍ମଚାରୀମାନେ ବୋଲେରୋ ଗାଡ଼ିରେ ଲମ୍ବା ସିଡ଼ି ବାନ୍ଧି ରାସ୍ତାର ଇଲେଭେନ୍ କେଭି ଲାଇନ୍ ତଦାରଖ କରି ପଳାଇ ଯାଉଛନ୍ତି। ଏଲ.ଟି ଲାଇନ୍ ଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାର ଦୃଷ୍ଟି ଆକର୍ଷଣ କଲେ ବି ଶୁଣୁନାହାନ୍ତି କର୍ମଚାରୀ। ଚାରିନଙ୍ଗଳ ପଞ୍ଚାୟତ ବାହାଦୁରନଗର ପ୍ରାଥମିକ ବିଦ୍ୟାଳୟର ରାସ୍ତାରେ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଝୁଲି ରହିଛି। ବିଦ୍ୟାଳୟର କୁନି ଛାତ୍ରୀଛାତ୍ର ଖେଳ ଛୁଟିରେ ସେହି ଗଛରେ ଚଢୁଛନ୍ତି। ଗଛର ମଧ୍ୟ ଭାଗରେ ଝୁଲି ରହିଛି ବିଦ୍ୟୁତ୍ ତାର। ଯଦି କୌଣସି କୋମଳମତୀ ଛାତ୍ରୀଛାତ୍ର ଉକ୍ତ ତାର ସଂସ୍ପର୍ଶରେ ଆସିଯାଆନ୍ତି ତେବେ କ’ଣ ଯେ ଘଟିବ ତାହା କହିହେବ ନାହିଁ।