Categories: Uncategorized

‘ପିର୍‌ଭାକରନ ଜୀବିତ’

ତାଞ୍ଜାଭୁର,୧୪ା୨:ଶ୍ରୀଲଙ୍କା ସରକାର ଏଲ୍‌ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପିର୍‌ଭାକରନଙ୍କୁ ମୃତ ଘୋଷଣା କରିବାର ୧୪ ବର୍ଷ ପରେ ସେ ଜୀବିତ ଥିବା ନେଇ ତାମିଲନାଡୁର ପୂର୍ବତନ ରାଜନେତା ତଥା ବିଶ୍ୱ ତାମିଲ ମହାସଂଘର ଅଧ୍ୟକ୍ଷ ପାଝା ନେଦୁମାରାନ ସୋମବାର ଦାବି କରିଛନ୍ତି। ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ (ଏଲ୍‌ଟିଟିଇ)ର ପ୍ରତିଷ୍ଠାତା ପିର୍‌ଭାକରନ ବଞ୍ଚତ୍ଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଖୁବ୍‌ଶୀଘ୍ର ସର୍ବସାଧାରଣରେ ଆତ୍ମପ୍ରକାଶ କରିବେ ବୋଲି ନେଦୁମାରାନ କହିଛନ୍ତି। ତେବେ ସେ ଏବେ କେଉଁଠି ଅଛନ୍ତି, ସେ ସମ୍ପର୍କରେ ନେଦୁମାରାନ୍‌ ପ୍ରଘଟ କରିନାହାନ୍ତି।
ପିର୍‌ଭାକରନ୍‌ଙ୍କ ନେତୃତ୍ୱରେ ଏଲ୍‌ଟିଟିଇ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ସେଠାର ତାମିଲମାନଙ୍କ ପାଇଁ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ଲାଗି ବ୍ୟାପକ ଗେରିଲା ଅଭିଯାନ ଚଳାଇଥିଲେ। ଶ୍ରୀଲଙ୍କା ସେନା ସହ ଏଲ୍‌ଟିଟିଇ ଗେରିଲାମାନଙ୍କ ଦୀର୍ଘଦିନର ଯୁଦ୍ଧ ଚାଲିଥିଲା। ୨୦୦୯ ମେ’ ୧୮ରେ ମୁଲ୍ଲିଭୈକାଲରେ ଶ୍ରୀଲଙ୍କା ସେନାର କାର୍ଯ୍ୟାନୁଷ୍ଠାନ ବେଳେ ପିର୍‌ଭାକରନ୍‌ ନିହତ ହୋଇଥିବା ଘୋଷଣା କରାଯାଇଥିଲା। ସେତେବେଳେ ମହିନ୍ଦା ରାଜପାକ୍ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଥିଲେ। ତାଞ୍ଜାଭୁର୍‌ରେ ଖବରଦାତାମାନଙ୍କୁ ସୂଚନା ଦେଇ ନେଦୁମାରାନ କହିଛନ୍ତି, ଆମେ ଖୁସିର ସହ ସାରା ବିଶ୍ୱକୁ ଜଣାଉଅଛୁ ଯେ ଏଲ୍‌ଟିଟିଇ ମୁଖ୍ୟ ପିର୍‌ଭାକରନ ଜୀବିତ ଓ ସୁସ୍ଥ ଅଛନ୍ତି। ତାମିଲ ଇଲମ ପାଇଁ ସେ ଖୁବ୍‌ଶୀଘ୍ର ନିଜର ଯୋଜନା ସମ୍ପର୍କରେ ଘୋଷଣା କରିବେ। ଶ୍ରୀଲଙ୍କାରେ ସିଂହଳୀମାନଙ୍କ ଆନ୍ଦୋଳନ ଯୋଗୁ ରାଜପାକ୍ସେ ସରକାରଙ୍କ ପତନ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ପିର୍‌ଭାକରନ୍‌ଙ୍କ ଆତ୍ମପ୍ରକାଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି ନେତୁମାରାନ କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୯ରେ ପିର୍‌ଭାକରନଙ୍କୁ ସରକାର ମୃତ ଷୋଷଣା କରିବା ସମୟରେ ଏକ ମୃତଦେହର ଏକାଧିକ ଫଟୋ ଓ ଭିଡିଓ ଶେୟାର କରାଯାଇଥିଲା। ଏଥିରେ ଜାଲିଆତି କରାଯାଇଥିବା ସେତେବେଳେ ଅନେକେ ଅଭିଯୋଗ କରିଥିଲେ। ଏକ ଚୁକ୍ତିନାମା ଅନୁଯାୟୀ ପିର୍‌ଭାକରନ ଆତ୍ମସମର୍ପଣ ଲାଗି ଆସୁଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ଚୁକ୍ତି ନିୟମର ଉଲ୍ଲଂଘନ ବୋଲି କେତେଜଣ କହିଥିଲେ।
୧୯୯୧ରେ ଶ୍ରୀପେରୁମ୍ବୁଦୁରଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ପିର୍‌ଭାକରନ ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ ପରେ ତାଙ୍କୁ କୋର୍ଟ ଅପରାଧୀ ଘୋଷଣା କରିଥିଲେ। ଏଥିସହିତ ସେ ଶ୍ରୀଲଙ୍କାରେ ଅନେକ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିଲେ। ଏଲ୍‌ଟିଟିଇକୁ ବେଆଇନ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିଲା। ଶ୍ରୀଲଙ୍କାରେ ତାମିଲମାନଙ୍କ ପ୍ରତି ବର୍ଷବର୍ଷ ଧରି ପକ୍ଷପାତ କରାଯାଇ ଆସୁଥିବାବେଳେ କେତେକ ସଂଗଠନ ସହ ମିଶି ପିର୍‌ଭାକରନ ସ୍ବାଧୀନତା ଆନ୍ଦୋଳନ ଚଳାଇଥିଲେ। ପରେ ଏଲ୍‌ଟିଟିଇ ମୁଖ୍ୟ ଗେରିଲା ଯୁଦ୍ଧକୌଶଳ ଏବଂ ଆତ୍ମଘାତୀ ଆକ୍ରମଣ ସହିତ ସଶସ୍ତ୍ର ସଂଘର୍ଷରେ ସାମିଲ ହୋଇଥିଲେ। ଏଲ୍‌ଟିଟିଇ ପ୍ରଥମ ଆତଙ୍କବାଦୀ ସଂଗଠନ ଯାହାର ଏକ ବାୟୁସେନା ରହିଥିଲା। ଏଲ୍‌ଟିଟିଇକୁ ଦମନ କରିବା ପାଇଁ ଶ୍ରୀଲଙ୍କା ସେନା ଏହା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା, ଯେଉଁଥିରେ ଲକ୍ଷାଧିକ ତାମିଲ ନାଗରିକ ନିହତ ହୋଇଥିଲେ। ଜାତିସଂଘର ଏକ କମିଶନ ଏନେଇ ତଦନ୍ତ କରିଥିଲେ ମଧ୍ୟ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଏହାର ଜବାବ ଦେଇନାହିଁ।