ଲକ୍‌ଡାଉନ୍‌: ୪ କୋଟିରୁ ଅଧିକ ମା’ ନ ଚାହିଁ ବି ହୋଇଛନ୍ତି ଗର୍ଭବତୀ

ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଏହି ସମୟ ମଧ୍ୟରେ ପୃଥିବୀର ୪ କୋଟି ୭୦ ଲକ୍ଷରୁ ଅଧିକ ମା’ ନ ଚାହିଁ ବି ଗର୍ଭବତୀ ହୋଇଛନ୍ତି। ଜାତିସଂଘର ପପୁଲେଶନ ଫଣ୍ଡ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ଭାରତରେ ପ୍ରାୟ ୨୩ ଲକ୍ଷ ମା’ ନ ଚାହିଁ ବି ଗର୍ଭବତୀ ହୋଇଛନ୍ତି। ଲକ୍‌ଡାଉନ୍‌ ସମୟରେ ପରିବାର ନିୟୋଜନ ଔଷଧ ଓ ସାମଗ୍ରୀ ନ ମିଳିବାରୁ ଏଭଳି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାଯୋଗୁ ପ୍ରାୟ ୨ କୋଟିରୁ ଅଧିକ ଦମ୍ପତି ସମସ୍ୟାରେ ପଡ଼ିଛନ୍ତି। ପୂର୍ବରୁ ପୃଥିବୀରେ ସମୟ ପୂର୍ବରୁ ୧୩.୬ ପ୍ରତିଶତ ମହିଳାଙ୍କ ପ୍ରସବ ହେଉଥିବାବେଳେ ଲକ୍‌ଡାଉନ୍‌ ଯୋଗୁ ଏହା ଦୁଇଗୁଣା ହୋଇ ୨୬ ପ୍ରତିଶତରେ ପହଞ୍ଚିଛି। ପୂର୍ବରୁ ଭାରତରେ ବର୍ଷରେ ଦେଢ଼କୋଟିରୁ ଅଧିକ ଗର୍ଭପାତ ହେଉଥିବାବେଳେ ଏବେ ଏହି ତାଲିକାରେ ୧୪ ଲକ୍ଷ ନୂଆ ମହିଳା ଯୋଡ଼ି ହେବାର ଆଶଙ୍କା ରହିଛି। ସେଥିମଧ୍ୟରୁ ୮ଲକ୍ଷରୁ ଅଧିକଙ୍କର ଅସୁରକ୍ଷିତ ଗର୍ଭପାତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହା ୧୮ ଶହରୁ ଅଧିକ ମହିଳା ଜୀବନ ପ୍ରତି ବିପଦ ଦେଖାଯିବାର ଆଶଙ୍କା ରହିଛି। ସେହିପରି ପୃଥିବୀରେ ପ୍ରସବକାଳୀନ ମୃତ୍ୟୁ ହାର ୧୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। କରୋନା ସଂକ୍ରମଣ ଯୋଗୁ ଗର୍ଭବତୀଙ୍କ ଚେକ୍‌ ଅପ୍‌ ଅନ୍‌ଲାଇନ୍‌ରେ କରାଯାଉଛି। ଲକ୍‌ଡାଉନ୍‌ ସମୟରେ ପୃଥିବୀରେ ୧୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନର୍ମାଲ ପ୍ରସବ ହୋଇଥିବା ୨.୭ ପ୍ରତିଶତ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ୫ ପ୍ରତିଶତ ସିଜେରିଆନ୍‌ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୮ ପ୍ରତିଶତ ଶିଶୁ ମା’ଠାରୁ ସଂକ୍ରମିତ ହୋଇଛନ୍ତି। କେତେକ ମା’ କରୋନା ସଂକ୍ରମଣ ଭୟରେ ଶିଶୁଙ୍କୁ ସ୍ତନ୍ୟପାନ କରାଉ ନାହାଁନ୍ତି। ସେହିପରି ୮ ପ୍ରତିଶତ ଶିଶୁଙ୍କଠାରେ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share