Categories: ଜାତୀୟ

ଭାଗ୍ୟ ଭଲ ଆର୍ୟନଙ୍କୁ ମିଳିଛି ଜାମିନ୍‌, ଦେଶରେ ପଡ଼ିରହିଛି ଏଭଳି ୨ ଲକ୍ଷ ମାମଲା, କହିଲେ ବିଚାରପତି ଲୋକୁର…

ନୂଆଦିଲ୍ଲୀ,୨।୧୧: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ୍‌ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ୍‌ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ଜାମିନ୍‌ ମିଳିବା ଘଟଣାରେ ସୁପ୍ରିମ୍‌କୋର୍ଟ ବିଚାରପତି ମଦନ ବି. ଲୋକୁର କହିଛନ୍ତି ଯେ, ଭାଗ୍ୟ ତାଙ୍କୁ ବେଲ୍‌ ମିଳିଛି। ଦେଶରେ ଏଭଳି ୨ ଲକ୍ଷରୁ ଅଧିକ ମାମଲାର ବିଚାରାଧୀନ ଭାବେ ପଡ଼ି ରହିଛି। ସେସବୁ ମାମଲାର ସମାଧାନ ନେଇ ସେ ପ୍ରଶ୍ନ କରିଛନ୍ତି।

ସେ ଉତ୍ତରପ୍ରଦେଶର ଏନକାଉଣ୍ଟର୍‌ ଉପରେ ୟୁଥ ଫର ହ୍ୟୁମାନ ରାଇଟ ଡକ୍ୟୁମେଣ୍ଟେସନ, ସିଟିଜନ୍ସ ଏଗନେଷ୍ଟ୍‌ ହେଟ୍‌ ଔର ପିପଲ୍ସ ଓ୍ବାଚ୍‌ ଦ୍ୱାରା ପ୍ରକାଶିତ ‘ଏକ୍ସଟିଙ୍ଗ୍ୟୁଶିଙ୍ଗ୍‌ ଲାଇନ୍‌ ଲାଇଫ୍‌ : ପୋଲିସ କିଲିଙ୍ଗ୍‌ ଆଣ୍ଡ୍‌ କଭର୍‌ ଅପ ଇନ୍‌ ଦ ଷ୍ଟେଟ୍‌ ଅଫ୍‌ ୟୁପି’ ଶୀର୍ଷକ ରିପୋର୍ଟ ସମ୍ପର୍କରେ ଲୋକୁର ’ଏନକାଉଣ୍ଟର କିଲିଂ ଇନ ଇଣ୍ଡିଆ’ଉପରେ ନିଜର ବକ୍ତବ୍ୟ ରଖି ଏଭଳି କହିଛନ୍ତି।

ସେହିପରି ଦେଶରେ ୨୮ ଲକ୍ଷ ଏଭଳି ମାମଲା ରହିଛି, ଯେଉଁଥିରେ ଅଭିଯୁକ୍ତ ଫେରାର ରହିଛନ୍ତି। ଏଭଳିସ୍ଥଳେ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗୁଥିବା ସେ କହିଛନ୍ତି। ୨୨ ଲକ୍ଷ ସାକ୍ଷୀଙ୍କ ସାକ୍ଷ୍ୟ ବର୍ତ୍ତମାନ ସୁଦ୍ଧା କୋର୍ଟରେ ରେକର୍ଡ ହୋଇ ପାରିନାହିଁ। ମାମଲାଗୁଡ଼ିକୁ ସ୍ଥଗିତ ରଖାଯାଉଛି। ଏହି ପ୍ରସଙ୍ଗରେ ନ୍ୟାୟପାଳିକା କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ଦେଶର ବିଭିନ୍ନ ନିମ୍ନ ଅଦାଲତରେ ୨ କୋଟି ୯୫ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏପରିସ୍ଥଳେ ଲୋକଙ୍କ ନ୍ୟାୟିକ ବ୍ୟବସ୍ଥା ଉପରୁ ବିଶ୍ୱାସ ଉଠିଗଲେ ହୁଏତ ସେମାନ ଏହାର ସମାଧାନର ପଥ ନିଜେ କରିବାକୁ ବାହାରି ନୂଆ ଅପରାଧ ଘଟାଇବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

Share