ଲକ୍ଷ୍ନୌ,୨୫।୩: ଆଜି ଦ୍ୱିତୀୟଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ଶୁକ୍ରବାର ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ଫାୟାରିଂ ହୋଇଛି। ପୋଲିସ ଏନକାଉଣ୍ଟରରେ ଅପରାଧୀ ରାହୁଲ ସିଂ ଟଳିପଡିଛନ୍ତି। ତା’ ମୁଣ୍ଡରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର ଥିବା ଜଣାପଡିଛି। ଆଲିଗଞ୍ଜ ଅଞ୍ଚଳର ଏକ ଜୁଏଲାରୀରୁ ଚୋରି ଘଟଣାରେ ସାମିଲ ଥିବା ରାହୁଲ ଉକ୍ତ ଶୋ’ ରୁମ୍ର ଜଣେ କର୍ମଚାରୀଙ୍କୁ ବି ହତ୍ୟା କରିଥିଲେ। ପ୍ରାୟ ବର୍ଷେ ହେବ ରାହୁଲ ଫେରାର ଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ହସନଙ୍ଗଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଛି। ଲକ୍ଷ୍ନୌ ପୋଲିସ ରାହୁଲ ସିଂଙ୍କୁ ଘେରି ରହିଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଫାୟାରିଂ ହୋଇଥିଲା। ପୋଲିସ ଗୁଳିରେ ରାହୁଲ ଆହତ ହୋଇଥିଲେ। ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।