Categories: ଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଅନସାର୍‌ ଗଜବନ୍‌-ଉଲ୍‌-ହିନ୍ଦ୍‌ ସହ ଜଡିତ ରହିଥିବା ନେଇ କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଇଜଣ ଏକ ଘର ଭିତରେ ଲୁଚି ରହିଥିଲେ। ଏମାନେ ଅଗଷ୍ଟ ୧୫ ପୂର୍ବରୁ ବିଭିନ୍ନ ସହରରେ ବଡ଼ ଆକ୍ରମଣ ଯୋଜନା ରଖିଥିଲେ। ଏହି ସଂଗଠନକୁ ଉମର ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିଲେ। ଅଲ କାଏଦା ସମର୍ଥିତ ଏହି ଆତଙ୍କବାଦୀ ସଂଗଠନ ପେଶାୱାର ଏବଂ କ୍ୱେଟାରୁ ପରିଚାଳିତ ହେଉଥିଲା ବୋଲି ୟୁପି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ସେ କହିଛନ୍ତି ଯେ, ଉମର ଲକ୍ଷ୍ନୌରେ ଜେହାଦୀ ପ୍ରବୃତ୍ତିର ଲୋକଙ୍କୁ ପ୍ରସ୍ତୁତ କରୁଥିଲେ। ମୀନହାଜ ଅହମ୍ମଦ ଏବଂ ମଶିରୁଦ୍ଦିନ ଓରଫ୍‌ ମୁଶିର୍‌ ଏହି ସଂଗଠନର ସଦସ୍ୟ ଅଟନ୍ତି। ଏମାନେ ଅଗଷ୍ଟ ୧୫ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ। ଇନପୁଟ ଆଧାରରେ ମୀନହାଜଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ଏଡିଜି କହିଛନ୍ତି। ସେ କହିଛନ୍ତି ଯେ ଏହି ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଖୋଜିବା ପାଇଁ ଅନ୍ୟ ସ୍ଥାନରେ ବିଭିନ୍ନ ଦଳ ଉପରେ ଚଢାଉ କରାଯାଉଛି। ପଚରାଉଚରା ବେଳେ ଗିରଫ ଅଭିଯୁକ୍ତମାନେ ସେମାନଙ୍କ ସହଯୋଗୀଙ୍କ ଘରୁ ପଳାଇଥିବା କୁହାଯାଉଛି। ଯାହା ଆଧାରରେ ଏଟିଏସ ଦଳ ଏହି ଅଞ୍ଚଳରେ ଏକ ଯାଞ୍ଚ ଅଭିଯାନ ଚଳାଉଛନ୍ତି।

Share