ଲୁଧିଆନା,୩୦।୪: ପଞ୍ଜାବ ଲୁଧିଆନା ଜିଲା ଗ୍ୟାସପୁରା ସ୍ଥିତ ଏକ ଫ୍ୟାକ୍ଟ୍ରିରେ ରବିବାର ସକାଳେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି। ଏକ ଦୁଗ୍ଧ ଫ୍ୟାକ୍ଟ୍ରିରେ ଏହି ଘଟଣା ଘଟିଛି। ଗ୍ୟାସ ଲିକ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା କୁହାଯାଉଛି। ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଗ୍ୟାସ କେମିତି ଲିକ ହେଲା। ଖବର ମିଳିବା ପରେ ପୋଲିସ ଓ ପ୍ରଶାସନର ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଦମକଳ ବିଭାଗର ସାହାଯ୍ୟରେ ଆହତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଥିଲେ। ଏହି ଘଟଣା ପରେ ପୋଲିସ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦେଇଛି। ଏହାସହ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି। ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।