Categories: ଜାତୀୟ

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ମଧ୍ୟ ଟୁଇଟ କରି ଏହି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଲୁଫଥାନ୍ସା ଏୟାରଲାଇନ୍ସର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଜଣେ ୟୁଜର୍ସ ବିମାନ କମ୍ପାନୀକୁ ଟୁଇଟରରେ ଟ୍ୟାଗ କରି ପଚାରିଛନ୍ତି ଯେ, ଜଣେ ଭାରତୀୟଙ୍କ ନିଶାସକ୍ତ ଯୋଗୁ ନିର୍ଦ୍ଧାରିତ ବିମାନ ଉଡ଼ାଣରେ ବିଳମ୍ବ ଏକ ସମ୍ଭାବ୍ୟ ବିପଦ ହୋଇପାରେ କି। ଏହାର ଉତ୍ତରରେ ଲୁଫଥାନ୍ସା ଏୟାରଲାଇନ୍ସ ନିଜର ପ୍ରତିକ୍ରିଆ ରଖିଛି। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଆସୁଥିବା ବିମାନ ଉଡାଣରେ ବିଳମ୍ବ ଏବଂ ଏକ ବିମାନର ପରିବର୍ତ୍ତନ ଯୋଗୁ ଫ୍ରାଙ୍କଫର୍ଟରୁୁ ଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ ନିର୍ଦ୍ଧାରିତ ସମୟରେ ବିଳମ୍ବ ହୋଇଥିଲା। ଲୁଫଥାନ୍ସା ଏୟାରଲାଇନ୍ସ ଜଣେ ୟୁଜର୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ଏବାବଦରେ ସରକାରୀ ବିବୃତ୍ତି ଆସିନାହିଁ। ବିମାନ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ କି ଅସ୍ବୀକାର ମଧ୍ୟ କରାଯାଇନାହିଁ। ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଫେରିବାକୁ ଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଥିଲା।

Share