ରୁଷିଆରେ ମିଶିବା ପାଇଁ ଲୁହାନ୍‌ସ୍କରେ ହୋଇପାରେ ଭୋଟ

କ୍ୱିଭ୍‌,୨୮ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖି ୟୁରୋପୀୟ ଦେଶକୁ ଦୁଇଭାଗ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍‌ ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍‌ କହିଛନ୍ତି। ଆକ୍ରମଣ ପୂର୍ବରୁ ଫେବୃୟାରୀ ୨୧ରେ ବିଚ୍ଛିନ୍ନତାବାଦୀଙ୍କ କବଳରେ ଥିବା ଡୋନ୍‌ବାସ୍‌ ଅଞ୍ଚଳର ଡୋନେସ୍କ ଓ ଲୁହାନ୍‌ସ୍କକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିଲେ।

ଏବେ ଲୁହାନ୍‌ସ୍କକୁ ରୁଷିଆରେ ମିଶାଇବା ପାଇଁ ସେଠାରେ ଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନ ଉଦ୍ୟମ କରୁଛନ୍ତି। ରୁଷିଆର ଅଂଶ ହେବାପାଇଁ ସେହି ଅଞ୍ଚଳରେ ଭୋଟ୍‌ ଗ୍ରହଣ କରାଯିବ ବୋଲି ଲୁହାନ୍‌ସ୍କର ମୁଖ୍ୟ ଲିଓନିଡ୍‌ ପାସେଚିଙ୍କ୍‌ କହିଛନ୍ତି। ଖୁବଶୀଘ୍ର ଲୁହାନ୍‌ସ୍କରେ ଭୋଟ ଗ୍ରହଣ ହେବ ଏବଂ ଲୋକେ ରୁଷିଆରେ ମିଶିବା ନିମନ୍ତେ ସେମାନଙ୍କ ମତ ଦେବେ ବୋଲି ଲିଓନିଡ୍‌ ପ୍ରକାଶ କରିଛନ୍ତି। ୨୦୧୪ରେ ରୁଷିଆ ଆକ୍ରମଣ କରି ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପକୁ କବ୍‌ଜା କରିବା ପରଠାରୁ ଡୋନେସ୍କ ଓ ଲୁହାନ୍‌ସ୍କ କିଭ୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଠାକାର ଲୋକ ସାଧାରଣଃ ରୁଷିଆ ଭାଷା କହିଥାନ୍ତି।

Share