Categories: ଖେଳ

ଲ୍ୟୁକ୍‌ ଓ୍ବିଲିୟମ୍ସ ଆର୍‌ସିବି ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ, ୧।୧୦: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଷ୍ଟ୍ରେଲିଆର ଲ୍ୟୁକ୍‌ ଓ୍ବିଲିୟମ୍ସଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଗତ ମାର୍ଚ୍ଚ ମାସରେ ୫ଟି ଦଳକୁ ନେଇ ପ୍ରତିଯାଗିତାର ଉଦ୍‌ଘାଟନୀ ସଂସ୍କରଣରେ ଦଳ ଅନ୍ତିମ ସ୍ଥାନରେ ରହିଥିଲା। ଦଳ ଖେଳିଥିବା ୮ଟି ମ୍ୟାଚ ମଧ୍ୟରୁ ଦୁଇଟିରେ ବିଜୟ ଲାଭ କରିଥିଲା। ଖରାପ ପ୍ରଦର୍ଶନ ପରେ ଆର୍‌ସିବି ମୁଖ୍ୟ କୋଚ୍‌ ବେନ୍‌ ସଓ୍ବେରଙ୍କୁ ପଦବୀରୁ ହଟାଇ ଦେଇଥିଲା। ୪୩ ବର୍ଷୀୟ ଓ୍ବିଲିୟମ୍ସଙ୍କଠାରୁ କୋଚିଂ ନେଇ ଆଡିଲେଡ୍‌ ଷ୍ଟ୍ରାଇକର୍ସ ୨୦୨୨-୨୩ରେ ମହିଳା ବିଗ୍‌ ବଶ୍‌ ଲିଗ୍‌ ଜିତିଥିଲା। ଏହାର ପୂର୍ବ ଦୁଇ ଥର ଦଳ ଫାଇନାଲରେ ପ୍ରବେଶ କରିପାରିଥିଲା। ଚଳିତବର୍ଷ ସର୍ଦ୍ଦର୍ନ ବ୍ରେଭ୍‌କୁ ଦି ହଣ୍ଡ୍ରେଡ୍‌ ଓମେନ୍ସ ପ୍ରତିଯୋଗିତା ଜିତାଇବାରେ ଦଳର ସହକାରୀ କୋଚ୍‌ ଭାବେ ଓ୍ବିଲିୟମ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଓ୍ବିଲିୟମ୍ସ ଆହୁରି ମଧ୍ୟ ୫୦ ଓଭର ଓମେନ୍ସ ନ୍ୟାଶନାଲ କ୍ରିକେଟ ଲିଗ୍‌ରେ ସାଉଥ ଅଷ୍ଟ୍ରେଲିଆନ ସ୍କ୍ରୋପିଅନ୍ସ ଟିମ୍‌ ସହ ସମ୍ପୃକ୍ତ ଥିଲେ। ଏହି ଦଳ ଦୁଇଥର ରନରଅପ୍‌ ହୋଇପାରିଛି। ଏହାଛଡ଼ା ଚଳିତବର୍ଷ ପ୍ରଥମ ଭାଗରେ ଅଷ୍ଟ୍ରେଲିଆ ‘ଏ’ ଦଳର ଇଂଲଣ୍ଡ ଟୁର୍‌ ସମୟରେ ସେ ଅଷ୍ଟ୍ରେଲିଆ ‘ଏ’ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି।

Share