ବ୍ରାଜିଲ ରାଷ୍ଟ୍ରପତି ଭାବେ ଶପଥ ନେଲେ ଲୁଲା

ବ୍ରାସିଲିଆ,୩।୧: ତୃତୀୟ ଥର ପାଇଁ ବ୍ରାଜିଲ ରାଷ୍ଟ୍ରପତି ଭାବେ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ରବିବାର ଶପଥ ଗ୍ରହଣ କରିଛନ୍ତି। ସେ ଦେଶରୁ ଗରିବୀ ହଟାଇବା ଏବଂ ପରିବେଶ ପାଇଁ ଲଢ଼େଇ ଜାରି ରଖିବା ସହ ଦେଶର ପୁନଃନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୭୭ ବର୍ଷୀୟ ବାମପନ୍ଥୀ ନେତା ଲୁଲା ୨୦୦୩ରୁ ୨୦୧୦ ବ୍ରାଜିଲ ରାଷ୍ଟ୍ରପତି ଥିଲେ। ଧାତବ କାରିଗରରୁ ରାଷ୍ଟ୍ରପତି ହୋଇଥିବା ଲୁଲାଙ୍କୁ ଦୁର୍ନୀତି ଅଭିଯୋଗରେ ଜେଲ ଯିବାକୁ ପଡ଼ିଥିଲା ଓ ପରେ ତାଙ୍କ ବିରୋଧରେ ଅଭିଯୋଗ ଖାରଜ ହୋଇଥିଲା। ୫ ବର୍ଷରୁ କମ୍‌ ସମୟ ପରେ ସେ ପୁଣିଥରେ କ୍ଷମତାକୁ ଫେରିଛନ୍ତି। ସେ ବିଦାୟୀ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କୁ ମାତ୍ର ୨ ପ୍ରତିଶତ ଭୋଟ ବ୍ୟବଧାନରେ ହରାଇଥିଲେ। ୩ ଦଶନ୍ଧି ମଧ୍ୟରେ ଏହା ସବୁଠୁ କମ୍‌ ଭୋଟ ବ୍ୟବଧାନ। ନିର୍ବାଚନ ଫଳାଫଳକୁ ବୋଲ୍‌ସୋନାରୋଙ୍କର ଗୋଟିଏ ଗୋଷ୍ଠୀ ସମର୍ଥକ ଗ୍ରହଣ କରି ନ ଥିଲେ।

Share