ଲମ୍ପି ଭାଇରସ୍‌, ବହୁ ଗୋରୁ ଆକ୍ରାନ୍ତ

ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଗତବର୍ଷ ଲମ୍ପି ଭାଇରସ ଯୋଗୁ ବହୁ ଗୋରୁ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିଲେ। ଏହା ଗୋପାଳକମାନଙ୍କ ନିଦ ହଜାଇ ଦେଇଥିଲା। ବର୍ଷେ ପରେ ପୁଣି ଥରେ ବ୍ଲକ ଅଞ୍ଚଳରେ ଏହି ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏଥିଯୋଗୁ ଗୋପାଳକମାନେ ଆତଙ୍କିତ ହୋଇପଡିଛନ୍ତି। ତେବେ ଏହି ରୋଗର ଠିକ ଔଷଧ ନ ଥିବାରୁ ଲକ୍ଷଣ ଦେଖି ଚିକିତ୍ସା କରାଯାଉଥିବା ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି। ବ୍ଲକର ଫଗୋଳ ପଞ୍ଚାୟତ ପାଇକରାପୁର ଗାଁର ବ୍ରହ୍ମାନନ୍ଦ ମହାରଣା, କୁଞ୍ଜବିହାରୀ ମହାରଣା, କୈଳାସ ମହାରଣା ପ୍ରମୁଖଙ୍କର ଗାଈ ଓ ବାଛୁରୀ ଲମ୍ପି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ ଆରମ୍ଭ ହେବା ମାତ୍ରେ ଗୋରୁମାନଙ୍କୁ ପ୍ରବଳ ମାତ୍ରାରେ ଜ୍ୱର ହେଉଛି। ନାକ ଓ ପାଟିରୁ ମୋଟା ଆକାରରେ ଲାଳ ବାହାରୁଛି। ଗୋରୁଙ୍କ ତଣ୍ଟିକୁ ଫୁଲାଇ ଦେଉଛି। ଫଳରେ ଗୋରୁ କୌଣସି ଖାଦ୍ୟ ଖାଇ ପାରୁନାହାନ୍ତି। ଅଚେତ ହୋଇ ପଡ଼ି ରହୁଛନ୍ତି। ଏହି ସମୟରେ ଗୋରୁଙ୍କ ଦେହରେ ବଡ ବଡ ଆବୁ ହୋଇ ଘା ସୃଷ୍ଟି ହେଉଛି। ଏପରିକି ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଛି। ଏହି ଭାଇରସ ଯୋଗୁ ଗୋପାଳକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାଣୀ ଚିକିତ୍ସକ ପ୍ରକାଶ କୁମାର ବେଉରାଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିବା ସହ ବିଭାଗ ପକ୍ଷରୁ ଏହାର ପ୍ରତିକାର ନିମନ୍ତେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଭ୍ୟାକସିନ ବ୍ୟବସ୍ଥା କରାଯାଇଛି। ଏହି ଭାଇରସ ପ୍ରଶାସନର ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି।

Share