ନୂଆଦିଲ୍ଲୀ, ୨୬।୯ : ଦେଶରେ ଲମ୍ପି ଭାଇରସଏକ ଭୟଙ୍କର ରୂପ ନେଇଛି। ଏହି ଭୂତାଣୁ ୧୫ ଟି ରାଜ୍ୟର ୨୫୧ ଟି ଜିଲ୍ଲାକୁ ବ୍ୟାପିଛି । ୨୦.୫୬ ଲକ୍ଷରୁ ଅଧିକ ଗାଈଗୋରୁଙ୍କୁ ଆକ୍ରାନ୍ତ କରିଛି। ପ୍ରାୟ ଏକ ଲକ୍ଷ ଗାଈଗୋରୁଙ୍କର ମୃତ୍ୟୁ ଘଟି ସାରିଛି। ରାଜସ୍ଥାନରେ ୧୩.୯୯ ଲକ୍ଷରୁ ଅଧିକ ଗାଈଗୋରୁ ସଂକ୍ରମିତ ହୋଇଥିବାବେଳେ ୬୪ ହଜାରରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି। ଏହା ପଶୁପାଳକ ଏବଂ କୃଷକମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି।
ଏହି ରୋଗରୁ ରକ୍ଷା କରିବା ପାଇଁ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ କେନ୍ଦ୍ର ସରକାର କହିଛନ୍ତି। କ୍ରମାଗତ ଭାବରେ ଆଡଭାଇଜରୀ ମଧ୍ୟ ଜାରି କରାଯାଉଛି। ଏଥି ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର କେନ୍ଦ୍ର ମନ୍ତ୍ରୀ ଡକ୍ଟର ସଞ୍ଜୀବ ବାଲିୟାନ କହିଛନ୍ତି ଯେ ଲମ୍ପି ଜୀବାଣୁ ରୋକିବା ପାଇଁ ଟିକାକରଣ ଅଭିଯାନକୁ ଏକ ରୁଟିନ ଭାବେ କରାଯିବା ଜରୁରୀ। ସେ କହିଛନ୍ତି ଯେ ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି।