କୁଜଙ୍ଗ,୧୪।୧୦(ମନୋଜ ପ୍ରଧାନ): ଏରସମା ବ୍ଲକ ମାହାଙ୍ଗା ନଦୀ ନିକଟ ବାଲିତୁଠରୁ ଢିଙ୍କିଆକୁ ସଂଯୋଗ କରୁଥିବା ଲୁଣା ଘେରିବନ୍ଧ ରାସ୍ତା ନିର୍ମାଣ ସରିବାର୨ ମାସ ମଧ୍ୟରେ ନଷ୍ଟ ହୋଇଯାଇଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ନେଇ ଅଭିଯୋଗ ହୋଇଛି।
୩ କିଲୋମିଟର ଲମ୍ବ ଏହି ରାସ୍ତା ଉପରେ ଢିଙ୍କିଆ, ନୂଆଗାଁ ଓ ବାଲିତୁଠ ପଞ୍ଚାୟତର ବହୁ ଲୋକ ନିର୍ଭରଶୀଳ ା ରାସ୍ତାଦେଇ ଏରସମା ବ୍ଲକର ଅନେକ ଲୋକ ତୈଳ ବିଶୋଧନାଗାର ସମେତ ପାରାଦୀପ ବନ୍ଦର ଓ ପ୍ରସ୍ତାବିତ ଜେଏସ୍ଡବ୍ଲ୍ୟୁ ଅଞ୍ଚଳକୁ ଯାତାୟାତ କରନ୍ତି। ବିଶେଷକରି ଢିଙ୍କିଆ ପଞ୍ଚାୟତର ୫ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ବାଟ ଦେଇ ବ୍ଲକ ସଦର ମହକୁମା ଓ ଏରସମା ତହସିଲ ସମେତ କଟକ ଭୁବନେଶ୍ୱରକୁ ଯାଇଥାନ୍ତି। ଏହି ରାସ୍ତା ଜଳସମ୍ପଦ ବିଭାଗର ଲୁଣାଘେରି ବନ୍ଧ ଅଧୀନରେ ରହିଛି ା ରାସ୍ତା ମରାମତି ପାଇଁ ୬ମାସ ତଳେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ମରାମତିର ୨ ମାସ ପରେ ପିଚୁ ଓ ମେଟାଲ ଉଠି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ା ଏହାଛଡ଼ା ନିର୍ମାଣ ସମୟରେ ସୂଚନା ଫଳକ ଲଗାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଲିତୁଠର ଯୁବନେତା ରମେଶ ଚନ୍ଦ୍ର ପରିଡା କହିଛନ୍ତି, ଲୁଣାଘେରି ବନ୍ଧ ରାସ୍ତା କାର୍ଯ୍ୟରେ ଜନସାଧାରଣଙ୍କୁ ଅନ୍ଧକାରରେ ରଖାଯାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି।ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବାଲିତୁଠ ଲୁଣା ଘେରି ବନ୍ଧ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଅଶ୍ୱିନୀ ସେନାପତିଙ୍କ ଦୃଷ୍ଟି ଆକର୍ଷଣ କରିବାରେ, ଦୁଇମାସ ହେଲା ସେ ଦାୟିତ୍ୱରେ ଅଛନ୍ତି।ସେ ଏଠାରେ ଯୋଗଦେବାର ୪ମାସ ପୂର୍ବରୁ ଏହି କାମ ସରିଯାଇଥିଲା।