କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ

ଚେନ୍ନାଇ, ୩୦ା୮: ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଜଣେ ୪୮ ବର୍ଷୀୟ କରୋନା ରୋଗୀଙ୍କ ଫୁସ୍‌ଫୁସ୍‌କୁ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଉକ୍ତ ରୋଗୀଙ୍କ ଫୁସ୍‌ଫୁସ୍‌ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଜଣେ କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯିବା ଏସିଆରେ ପ୍ରଥମ ବୋଲି କୁହାଯାଇଛି। ଲକ୍‌ଡାଉନ୍‌ ପରଠାରୁ ହସ୍ପିଟାଲ ପକ୍ଷରୁ ଏଭଳି ଅପରେଶନ କରାଯାଇ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯିବା ଦ୍ୱିତୀୟ ଘଟଣା ବୋଲି ଦର୍ଶାଯାଇଛି।
ଦିଲ୍ଲୀରୁ ଆସିଥିବା କରୋନା ରୋଗୀ ଜଣକ ଗୁରୁତର ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହୋଇଥିଲେ। ଜୁଲାଇ ୮ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହେବାର ମାସକ ପରେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ହେବାରୁ କଷ୍ଟ ଅନୁଭବ କରୁଥିଲେ। ଫୁସ୍‌ଫୁସ୍‌ର କିଛି ଅଂଶ ଠିକ୍‌ ଭାବେ କାମ କରୁ ନ ଥିଲା। ଏମିତିକି ନିଃଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ। ଜୁନ୍‌ ୨୦ରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦେହ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ହେଲିକପ୍ଟର ଯୋଗେ ଜୁଲାଇ ୨୦ରେ ଏମ୍‌ଜିଏମ୍‌ ହେଲ୍‌ଥ କେୟାରକୁ ନିଆଯାଇଥିଲା। ପରେ ତାଙ୍କୁ ଏକ ମାସ ଲାଗି ଇସିଏମ୍‌ଓ ସପୋର୍ଟରେ ରଖାଯାଇଥିଲା। ଶେଷରେ ଅଗଷ୍ଟ ୨୭ରେ ଡାକ୍ତରମାନେ ତାଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ ଲାଗି ସ୍ଥିର କରିଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ତଥା ଏମ୍‌ଜିଏମ୍‌ ହେଲ୍‌ଥ କେୟାର୍‌ ହାର୍ଟ ଆଣ୍ଡ ଲଙ୍ଗ୍‌ସ ଟ୍ରାନ୍ସପ୍ଲାଣ୍ଟ ପ୍ରୋଗ୍ରମ ଅଧ୍ୟକ୍ଷ ଡାକ୍ତର କେ. ଆର୍‌. ବାଲକ୍ରିଷ୍ଣନ୍‌ଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଫୁସ୍‌ଫୁସ୍‌ ପ୍ରତିରୋପଣ କରିଥିଲେ। ଏବେ ରୋଗୀ ଜଣକ ଏମ୍‌ଜିଏମ୍‌ ହେଲ୍‌ଥ କେୟାର ଆଇସିୟୁରେ ସୁସ୍ଥ ଥିବା ଜଣାପଡ଼ିଛି। ସେ ଆଉ ଆଗଭଳି ଇସିଏମ୍‌ଓ ସପୋର୍ଟରେ ନାହାନ୍ତି ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାର୍ଟ ଆଣ୍ଡ୍‌ ଲଙ୍ଗ୍‌ସ ଟ୍ରାନ୍ସଫ୍ଲାଣ୍ଟର ସହନିର୍ଦ୍ଦେଶକ ସୁରେଶ ରାଓ ପ୍ରକାଶ କରିଛନ୍ତି।

Share