ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି। ଗୁଜରାଟ ରାଜକୋଟର ସିଭିଲ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ଇତିମଧ୍ୟରେ ଏଠାରେ ଥିବା ସରକାରୀ ପିଡ଼ିୟୁ ମେଡ଼ିକାଲ କଲେଜରେ ୫ ଜଣ କରୋନା ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ସେମାନଙ୍କର ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଇଥିବା ଜଣାପଡ଼ିଛି। ସାଧାରଣତଃ ଫୁସଫୁସ୍‌ ସ୍ପଞ୍ଜ୍‌ ଭଳି କୋମଳ ହୋଇଥାଏ। ତେବେ କରୋନା ଭୂତାଣୁ ଫୁସଫୁସ୍‌ କୋଷିକାକୁ ନଷ୍ଟ କରି ଏଥିରେ ଥିବା ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ। ଫଳରେ ଫୁସଫୁସ୍‌ରେ ଧୀରେଧୀରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ଏନେଇ ମେଡ଼ିକାଲ କଲେଜର ଫୋରେନସିକ୍‌ ମେଡିସିନ୍‌ ପ୍ରଫେସର ଡ. ହେତଲ କୟାଦା ସୂଚନା ଦେଇଛନ୍ତି। କର୍କଟ, ନିମୋନିଆ ଏବଂ ଟିବି ଆଦି ରୋଗରେ ମୃତ୍ୟୁ ଘଟୁଥିବା ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ଫୁସଫୁସ୍‌ କଠିନ ହୋଇଯାଇଥିବାର ଦେଖିବାକୁ ମିଳିଥାଏ। କରୋନା ମୃତକଙ୍କ କ୍ଷେତ୍ରରେ ଏହାଠାରୁ ଅଧିକ ଗୁରୁତର ସ୍ଥିତି ଦେଖାଯାଉଥିବା ସେ କହିଛନ୍ତି।

Share