Categories: ବାଣିଜ୍ୟ

ଏଲନ ମସ୍କଙ୍କୁ ପଛରେ ପକାଇ ଏହି ବ୍ୟକ୍ତି ହେଲେ ବିଶ୍ୱର ଏକ ନମ୍ବର ଧନୀ, ଜାଣନ୍ତୁ ତାଙ୍କର କେତେ ସମ୍ପତ୍ତି

ନୂଆଦିଲ୍ଲୀ, ୨୮।୧: ଟେସଲା, ଷ୍ଟାରଲିଙ୍କ ଏବଂ ଏକ୍ସ ମାଲିକଙ୍କ ମୁଣ୍ଡରୁ ବିଶ୍ୱର ଏକ ନମ୍ବର ଧନୀ ମାନ୍ୟତା ଖସି ଯାଇଛି। ଟେସଲା ଶେୟାର ଭାରି ମାତ୍ରାରେ ହ୍ରାସ ପାଇବା ପରେ ତାଙ୍କ ସମ୍ପତ୍ତିର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଫ୍ରାନ୍ସ ବ୍ୟବସାୟୀ ତଥା ବିଳାସପୂର୍ଣ୍ଣ ବ୍ରାଣ୍ଡର ଲୁଇ ଭ୍ୟୁଟନ୍ ମାଲିକ ବର୍ନାର୍ଡ ଆର୍ନାଲ୍ଟ ବର୍ତ୍ତମାନ ପୁଣି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାରଙ୍କ ଅନୁଯାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୦୭.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୨୦୪.୭ ବିଲିୟନ ଡ଼ଲାର୍ ରହିଛି।

ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକା ଅନୁଯାୟୀ ବର୍ନାର୍ଡ ଆର୍ନାଲ୍ଟ ଏବଂ ଏଲୋନ୍ ମସ୍କଙ୍କ ପରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ନାମ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୧୮୧.୩୦ ବିଲିୟନ ଡ଼ଲାର୍ ରହିଛି। ଚତୁର୍ଥ ସ୍ଥାନରେ ଲ୍ୟାରି ଏଲିସନଙ୍କ ନାମ ଅଛି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୧୪୨.୨୦ ବିଲିୟନ ଡ଼ଲାର୍।୧୩୯.୧ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ମେଟା ସିଇଓ ମାର୍କ ଜୁକରବର୍ଗ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ଏହା ପରେ ୱାରେନ୍ ବଫେଟ୍, ଲ୍ୟାରି ପେଜ୍, ବିଲ୍ ଗେଟ୍ସ, ସର୍ଗି ବ୍ରିନ ଏବଂ ଷ୍ଟିଭ ବଲମେରଙ୍କ ନାମ ମଧ୍ୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛି।

ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାଁ ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ୧୧ତମ ସ୍ଥାନରେ ରହିଛି। ତାଙ୍କର ମୋଟ ସମ୍ପତ୍ତି ୧୦୪.୪ ବିଲିୟନ ଡଲାର ଅଟେ। ସେହିଭଳି ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନି ଏହି ତାଲିକାରେ ୧୬ ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୭୫.୭ ବିଲିୟନ ଡଲାର ରହିଛି।

Share