ମିଛ କହି କୋର୍ଟ ଭିତରେ ପଶିଲେ, ବ୍ୟାଗରୁ ପଥର ବାହାର କରି…

ଛତ୍ରପୁର,୧୬।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସଡିଜେଏମ୍‌ଙ୍କ କୋର୍ଟ ହଲରେ ସୋମବାର ପଥର ମାଡ଼ ହୋଇଛି। ଏଥିରେ କମ୍ପ୍ୟୁଟର, ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି। ଘଟଣାରେ ସମ୍ପୃକ୍ତ
ଭଞ୍ଜନଗର ଥାନା ବଡ଼ କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କୁ ଛତ୍ରପୁର ଥାନା ପୋଲିସ ଗିରଫ କରିଛି। ସକାଳ ସମୟରେ ସେ ଛତ୍ରପୁର ଏସଡିଜେଏମଙ୍କ କୋର୍ଟ ହଲରେ ଶୁଣାଣି ହେବା କଥାକହି ହଲରେ ଉପସ୍ଥିତ ରହିଥିଲେ। ଏହି ସମୟରେ ବେଞ୍ଚକ୍ଲର୍କ ଓ ଷ୍ଟେନୋଙ୍କ ଅଗୋଚରରେ ନିଜ ବ୍ୟାଗରେ ରଖିଥିବା ପଥର ଖଣ୍ଡ ବାହାର କରି କମ୍ପ୍ୟୁଟରକୁ ଲକ୍ଷ୍ୟ କରି ପକାଇଥିଲେ। କମ୍ପ୍ୟୁଟର ନଷ୍ଟ କରିଦେବା ସହ ଅନ୍ୟ ଆସବାବପତ୍ରକୁ ନଷ୍ଟ କରିଥିଲେ। ସେଠାରେ ଉପସ୍ଥିତ ଥିବା ବେଞ୍ଚକ୍ଲର୍କ ପ୍ରଫୁଲ୍ଲ ନାୟକ ତତ୍‌କ୍ଷଣାତ ଉକ୍ତ ବ୍ୟକ୍ତି ସମ୍ବନ୍ଧରେ ଛତ୍ରପୁର ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସବ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲୀକ ଓ ଅନ୍ୟ ପୋଲିସମାନେ ଆସି ଉକ୍ତ ବ୍ୟକ୍ତିକୁ କାବୁ କରିନେଇଥିଲେ। ଏ ସମ୍ବନ୍ଧରେ ଛତ୍ରପୁର ପୋଲିସ ଷ୍ଟେଶନରେ ଏକ ମାମଲା ମଧ୍ୟ ରୁଜୁ ହୋଇିଛି। ପୋଲିସ ଅଧିକ ତଦନ୍ତ ଚଳାଇଛି।