Categories: ଜାତୀୟ

ପରଲୋକରେ ଗୀତିକାର ରାଜନାରାୟଣ ବିସାରିଆ

ନୂଆଦିଲ୍ଲୀ,୧୮।୨: ବରିଷ୍ଠ ହିନ୍ଦୀ କବି, ଗୀତିକାର, ନାଟ୍ୟକାର ତଥା ପ୍ରସାରଣକାରୀ ରାଜନାରାୟଣ ବିସାରିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁ ଗତ କିଛି ଦିନରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଜନ୍ମ ହୋଇଥିବା ବିସାରିୟା ଗୁନା ଓ ମୋରେନାରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ଗ୍ବାଲିଅରର ଭିକ୍ଟୋରିଆ କଲେଜରୁ ସେ ହିନ୍ଦୀରେ ଏମ୍‌ଏ କରିବା ପରେ ପ୍ରୟାଗକୁ ଯାଇ ଡକ୍ଟର ରାମକୁମାର ବର୍ମାଙ୍କ ନିର୍ଦ୍ଦେଶରେ ଗବେଷଣା କାର୍ଯ୍ୟ କରିଥିଲେ। ସେହିପରି ରାଜନାରାୟଣ ୬ବର୍ଷ ଧରି ପ୍ରସାର ଭାରତୀ ବୋର୍ଡର ସମ୍ମାନଜନକ ସଦସ୍ୟ ମଧ୍ୟ ରହିଥିଲେ। ବିବିସିରୁ ଅବସର ନେବା ପରେ ସେ ‘ପରମ୍ପରା’ ନାମକ ଏକ ସାହିତ୍ୟ ସଂଗଠନ ଚଳାଇଥିଲେ। ୟୁନିଅନ ପବ୍ଲିକ ସର୍ଭିସ କମିଶନଙ୍କ ଦ୍ୱାରା ଅଲ୍‌ ଇଣ୍ଡିଆ ରେଡିଓ(ଆକାଶବାଣୀ)ରେ ଯୋଗଦେବା ପରେ ସେ ଜଲନ୍ଧର, ଜୟପୁର, ଆଲହାବାଦ ଓ ପୋର୍ଟ ବ୍ଲେୟାରର ଆକାଶବାଣୀରେ ପ୍ରଡ୍ୟୁସର ତଥା ପ୍ରୋଗ୍ରାମ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Share