ଭୋପାଳ: ମଧ୍ୟପ୍ରଦେଶର ରାୟଗଡ଼ସ୍ଥିତ ଏକ ଚା’ ଦୋକାନ ମାଲିକ ଏବେ ଚର୍ଚ୍ଚାରେ। ଖିଲଚିପୁର ନଗର ବସ୍ଷ୍ଟାଣ୍ଡ ନିକଟରେ ନୂଆକରି ଦୋକାନ ଖୋଲିଥିବା ଅନ୍ତର ଗୁଜ୍ଜର ନିଜ ଚା’ ଦୋକାନର ନାଁ ରଖିଛନ୍ତି ଏମ୍. ବଓ୍ବେଫା ଚା’ ବାଲା। ଏମ୍ ହେଉଛି ତାଙ୍କ ପୂର୍ବତନ ପ୍ରେମିକାଙ୍କ ନାମର ପ୍ରଥମ ଅକ୍ଷର, ଯିଏକି ଅନ୍ତରଙ୍କୁ ବାହାହେବା ପାଇଁ ମନା କରିଥିଲେ। ଏକ୍ସ-ଗର୍ଲଫ୍ରେଣ୍ଡ୍ଙ୍କୁ ଚିଡ଼ାଇବା ପାଇଁ ଏପରି ନାମକରଣ କରିଛନ୍ତି। ସବୁଠୁ ମଜାକଥା ହେଲା ବି.ଏ. ଶେଷବର୍ଷ ଛାତ୍ର ଅନ୍ତର ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ମୂଲ୍ୟରେ ଚା’ ଦେଉଛନ୍ତି। ତାଙ୍କ ଭଳି ବିଫଳ ପ୍ରେମିକଙ୍କୁ ଚା’ କପ୍ ପିଛା ୫ ଟଙ୍କାରେ ବିକ୍ରି କରୁଥିବାବେଳେ ସାଧାରଣ ଲୋକେ ୧୦ ଟଙ୍କା ଦେଇ ସମାନ ଚା’ କିଣୁଛନ୍ତି। ଏ ନେଇ ଅନ୍ତର କହିଛନ୍ତି, ୫ ବର୍ଷ ତଳେ ଜଣେ ସମ୍ପର୍କୀୟଙ୍କ ବିବାହ ବେଳେ ସେହି ଝିଅଙ୍କୁ ସେ ଭେଟିଥିଲେ। ସେଇଠୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨ ବର୍ଷର ସମ୍ବନ୍ଧରେ ସେତେବେଳେ ଫାଟ ସୃଷ୍ଟି ହୋଇଥିଲା, ଯେତେବେଳେ ଅନ୍ୟଜଣଙ୍କ ସହ ବାହା ହେବା ପାଇଁ ପ୍ରେମିକା ରାଜି ହୋଇଥିଲେ। ସେ ଅନ୍ତରଙ୍କୁ କହିଥିଲେ, ଜୀବନରେ କେବେ କିଛି କଲେ ତାହା ମୋ ନାଁରେ କରିବ। ବେକାର ବୋଲି ପ୍ରତ୍ୟାଖ୍ୟାତ ହେବାପରେ ଅନ୍ତର ପ୍ରେମିକାଙ୍କ କଥା ମନେପକାଇ ତାଙ୍କ ନାଁରେ ଚା’ ଦୋକାନ କରିଛନ୍ତି।