Categories: ଜାତୀୟ

ଦିଲ୍ଲୀକୁ ଏବେ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ କରାଯାଇଛି, କେମିତି ଯିବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୮।୯: ଜି-୨୦ ୨୦୨୩ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଅତିଥିଙ୍କ ଲାଗି ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ଏଥିପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲେ ହେଁ ସେ ରାତ୍ରିଭୋଜନରେ ସାମିଲ ହେବେନି ବୋଲି କହିଛନ୍ତି। ଏହାର କାରଣ ଜଣାଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀକୁ ଏବେ ନୋ-ଫ୍ଲାଇଙ୍ଗ ଜୋନ୍‌ କରାଯାଇଛି। କେମିତି ଯିବି?

ପୂର୍ବରୁ ଦିଲ୍ଲୀ ବିମାନବନ୍ଦର ଏକ ବିଜ୍ଞପ୍ତି ଜାରି କରି କହିଥିଲା ଯେ, ବିମାନବନ୍ଦରରେ ୨ ଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ କେବଳ ପୂର୍ବ ନିର୍ଦ୍ଧାରିତ ବିମାନ ଉଡ଼ାଣ-ଅବତରଣ ଏବଂ ଜି-୨୦ ପାଇଁ ଆସୁଥିବା ସ୍ବତନ୍ତ୍ର ବିମାନ ଉଡ଼ାଣ-ଅବତରଣ ପାଇଁ ଅନୁମତି ଦିଆଯିବ। ଶିଖର ସମ୍ମିଳନୀ ଚାଲିଥିବା ବେଳେ ସାଧାରଣ ବିମାନ ଚଳାଚଳ ଏବଂ ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିବା ଚାର୍ଟର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିପାରିବେ ନାହିଁ।

କହିରଖୁଛୁ, ଶନିବାର ହେବାକୁ ଥିବା ରାତ୍ରିଭୋଜନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଂଶଗ୍ରହଣ କରିବେ ବୋଲି ନିଶ୍ଚିତ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଯୋଗଦେବେ ବୋଲି ଜଣାଇଛନ୍ତି। ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି।

Share