Categories: ଫୁରସତ

ମି. ଡୁଡଲ୍‌ଙ୍କ ଡୁଡଲ୍‌ ଆର୍ଟ ଘର

ଇଂଲଣ୍ଡର ସାମ୍‌ କକ୍ସ କଳା ଧଳା ଡୁଡଲ୍‌ ଆର୍ଟ କରିବାରେ ବେଶ୍‌ ଧୁରିଣ। ସେ ଏକ ଡୁଡଲ ପପ୍‌ ଅପ୍‌ ଦୋକାନ ବି କରିଛନ୍ତି। ଡୁଡଲ୍‌ ଆର୍ଟ କରି ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରନ୍ତି। ତାଙ୍କର ୨.୭ ମିଲିୟନ ଫଲୋୟର୍‌ ଅଛନ୍ତି। ଡୁଡଲ୍‌ ଆର୍ଟ ପ୍ରତି ସମର୍ପିତ ସାମ୍‌ଙ୍କୁ ଲୋକେ ମି.ଡୁଡଲ୍‌ ବୋଲି କୁହନ୍ତି। ତେବେ ତାଙ୍କର ଏକ ସ୍ବପ୍ନ ଥିଲା ନିଜ ଘରକୁ ବି ସେ ଡୁଡଲ୍‌ ଆର୍ଟ କରି ସଜାଇବେ। ୨୦୧୯ରେ ସେ ୬ଟି ବେଡରୁମ୍‌ ଥିବା ଏକ ସୁନ୍ଦର ମାନ୍‌୍‌ସନ୍‌ କିଣିଲେ। ଆଉ ନିଜର ଏହି ଘରକୁ ଡୁଡଲ୍‌ ଆର୍ଟରେ ସଜାଇବା ଲାଗି ଦିନ ରାତି ଏକ କରି ଦେଲେ। ସେ ନିଜର ମୁଖ୍ୟ ବେଡରୁମ୍‌ରେ ଡ୍ରିମ୍‌ ଥିମ୍‌ରେ ଡୁଡଲ ଆର୍ଟ କରିବାବେଳେ ବାଥ୍‌ରୁମ୍‌ରେ କରିଛନ୍ତି ସମୁଦ୍ର ଥିମ୍‌ର ଡୁଡଲ୍‌ ଆର୍ଟ। ଘରର ପ୍ରତି କୋଣ ଅନୁକୋଣକୁ ସେ ଡୁଡଲ୍‌ ଆର୍ଟରେ ଆଚ୍ଛାଦିତ କରି ଦେଇଛନ୍ତି। ଏମିତିକି ନିଜ ଟେସ୍‌ଲା କାର୍‌, ବିଭିନ୍ନ ଯାନ୍ତ୍ରିକ ଉପକରଣ ଉପରେ ବି ସେ ଡୁଡଲ୍‌ ଆର୍ଟ କରିଛନ୍ତି। ସାମ୍‌ କୁହନ୍ତି, ‘ଡୁଡଲ୍‌ ଆର୍ଟ କଲେ ତାଙ୍କୁ ମାନସିକ ଶାନ୍ତି ମିଳେ। ସେ ଯେଉଁଦିନ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଏହି ଆର୍ଟ କରନ୍ତି ତାଙ୍କର ଭଲ ନିଦ ହୁଏ।’ସାମ୍‌ଙ୍କ ପତ୍ନୀ ବି ସାମ୍‌ଙ୍କ କଳାକୁ ବେଶ୍‌ ସମ୍ମାନ କରନ୍ତି। ଆଉ ଏହି ନିଆରା ଘର ଏବେ ଏଠାକାର ଆକର୍ଷଣ ପାଲଟିଛି।

Share