Categories: ଜାତୀୟ

ଉଜବେକିସ୍ତାନ ଯିବା ପୂର୍ବରୁ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଜବେକିସ୍ତାନ ଯିବା ପୂର୍ବରୁ ତାଙ୍କର ଏକ ବୟାନ ଜାରି କରିଛନ୍ତି । ମୋଦି କହିଛନ୍ତି, ମୁଁ ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ରେ ରାଷ୍ଟ୍ରାଧ୍ୟକ୍ଷଙ୍କ ପରିଷଦର ଏକ ବୈଠକରେ ଯୋଗ ଦେବାକୁ ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିଓଜେବଙ୍କ ନିମନ୍ତ୍ରଣ ରକ୍ଷା କରି ସମରକନ୍ଦ ଯାତ୍ରା କରୁଛି । ଏସସିଓ ସମ୍ମିଳନୀରେ ଚାଇନା, ପାକିସ୍ତାନ ଓ ରୁଷିଆର ରାଷ୍ଟ୍ରାଧ୍ୟକ୍ଷ ବି ସାମିଲ ହେବେ ।
ମୋଦି କହିଛନ୍ତି, ଏସସିଓ ଶିଖର ସମ୍ମିଳନୀରେ ଗ୍ରୁପ ମଧ୍ୟରେ ସାମୟିକ ମୁଦ୍ଦା, ବିସ୍ତାର ଓ ସହଯୋଗକୁ ମଜଭୁତ କରିବାକୁ ବିଚାରର ଆଦାନ ପ୍ରଦାନ କରିବା ଆଶା କରୁଛି । ଉଜବେକ ଅଧ୍ୟକ୍ଷତାରେ ବ୍ୟବସାୟ, ଅର୍ଥ ବ୍ୟବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ପରସ୍ପର ମଧ୍ୟରେ କିଛି ନିର୍ଣ୍ଣୟ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।
ଯିବା ପୂର୍ବରୁ ମୋଦି କହିଛନ୍ତି, ସମରକନ୍ଦରେ ମୁଁ ରାଷ୍ଟ୍ରପତି ମିର୍ଜିଓଜେବଙ୍କ ସହ ସାକ୍ଷାତ୍ କରିବାକୁ ଉତ୍ସାହିତ ରହିଛି । ୨୦୧୮ରେ ମୁଁ ତାଙ୍କ ଭାରତ ଯାତ୍ରାକୁ ମନେ ପକାଉଛି । ସେ ୨୦୧୯ରେ ଭାଇବ୍ରାଣ୍ଟ ଗୁଜରାଟ ସମିଟରେ ଗେଷ୍ଟ ଅଫ ଅନର ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ ମୁଁ ଶିଖର ସମ୍ମିଳନୀରେ ଭାଗ ନେଉଥିବା କେତେଜଣ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିୟ ବୈଠକ କରିବି ବୋଲି ମୋଦି କହିଛନ୍ତି ।

Share