Categories: ବାଣିଜ୍ୟ

ଏସ୍‌ପିପିଏଲ୍‌ର ଏମ୍‌-ପିଏଚ୍‌ୟୁ ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୭:ରାଜ୍ୟର ପ୍ରମୁଖ ଘରୋଇ ବନ୍ଦର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ନିକଟରେ ଏକ ମୋବାଇଲ ପବ୍ଲିକ ହେଲ୍‌ଥ ୟୁନିଟ୍‌ (ଏମ୍‌-ପିଏଚୟୁ)ର ଶୁଭାରମ୍ଭ କରାଯାଇଛି। ବିଶେଷକରି ବାଲେଶ୍ୱର ଜିଲାର ବାଲିଆପାଳ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ସହଜରେ ଉପଲବ୍ଧ କରାଇବା ପାଇଁ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ସହଭାଗିତାରେ ଏସ୍‌ପିପିଏଲ୍‌ ଉକ୍ତ ଏମ୍‌-ପିଏଚୟୁକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ.ସନ୍ତୋଷ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସମେତ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ଓ ଏସ୍‌ପିପିଏଲ୍‌ର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ବାଲିଆପାଳ ବ୍ଲକର ମୋଟ ୧୦ ଗ୍ରାମପଞ୍ଚାୟତ ସହିତ ୨୮ ଗ୍ରାମରେ ବ୍ୟାପକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଏଭଳି ଏକ ଅଭିନବ ବ୍ୟବସ୍ଥା କରାଯାଇଛି। ଏହି ୟୁନିଟ୍‌ ଗ୍ରାମବାସୀଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ସଚେତନତା ସୃଷ୍ଟି କରାଇବା ସହିତ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବ। ସେହିଭଳି ଉକ୍ତ ସେବା ପାଇଁ କୌଣସି ଆର୍ଥିକ ଦେୟ ଦେବାକୁ ପଡିବ ନାହିଁ। ଏପରିକି ଗ୍ରାମବାସୀଙ୍କ ଆବଶ୍ୟକ ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରି ଏହି ୟୁନିଟ୍‌ଟି ମାଗଣା ଔଷଧ ବଣ୍ଟନ କରିବ। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିବା ଏହି ଭ୍ରାମ୍ୟମାଣ ଜନସ୍ବାସ୍ଥ୍ୟ ୟୁନିଟ୍‌ର ମୂଳ ଲକ୍ଷ୍ୟ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share