ସଜଡା ହେବାକୁ ଗଲା ‘ମୋ ସାଇକେଲ’

ଭୁବନେଶ୍ୱର, ୨୬/୯ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରର ସାଇକେଲ୍‌ ଟ୍ରାକ୍‌ରେ ପୁଣି ଗଡ଼ିବ ‘ମୋ ସାଇକେଲ’। ବର୍ଷାଦିନ ପରେ ପୁଣିଥରେ ମୋ ସାଇକେଲକୁ ନେଇ ଆଗ୍ରହ ଦେଖାଇବେ ସହରବାସୀ। ଏହି ଆଶା ନେଇ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବାବେଳେ ଏଥିରେ ବାଧକ ସାଜିଛି ଖରାପ ବା ଭଗ୍ନାବସ୍ଥାରେ ଥିବା ସାଇକେଲ। ତେଣୁ ଖରାପ ହୋଇ ପଡି ରହିଥିବା ମୋ ସାଇକେଲ୍‌ଗୁଡିକୁ ସଜାଡିବା ପାଇଁ ଅଣ୍ଟାଭିଡ଼ିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ। ଗତ ୨/୩ଦିନ ହେବ ସହରର ବିଭିନ୍ନ ସ୍ଥାନରେ ଖରାପ ହୋଇ ପଡିରହିଥିବା ମୋ ସାଇକେଲଗୁଡିକୁ ଉଠାଇ ନେଇ ଶହୀଦନଗରସ୍ଥିତ ଡିପୋରେ ରଖାଯାଉଛି। ସାଇକେଲ୍‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଅବ୍ୟହୃତ ହୋଇ ପଡିରହିଥିବାରୁ ଏବେ ସେହି ସାଇକେଲ୍‌ଗୁଡିକ ଗଡିବ କି ନାହିଁ ସେ ନେଇ ସନ୍ଦେହ ଦେଖାଦେଇଛି। ସେହିପରି ଯଦି ସାଇକେଲ ସଜଡ଼ା ହୋଇ ଆସିଲା, ତେବେ ଲୋକମାନେ ଏହାକୁ ବ୍ୟବହାର କରିବା ପାଇଁ କାହିଁକି ଏବଂ କେମିତି ଆଗ୍ରହ ଦେଖାଇବେ ସେ ନେଇ ସ୍ମାର୍ଟସିଟି ପକ୍ଷରୁ କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇନାହିଁ। ତେଣୁ କେବଳ ଲୋକଦେଖାଣିଆ ଭାବେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ସାଇକେଲ୍‌ ସଜାଡିବାକୁ ବାହାରିଥିବା ମତ ପ୍ରକାଶ ପାଇଛି। ଏପରିକି ମରାମତି ନାଁରେ ସେମିତି କିଛି ଅନିୟମିତତା ହେବନି ତ ବୋଲି ପ୍ରଶ୍ନ ଉଙ୍କି ମାରୁଛି। ପୁଣି ସାଇକେଲର ସ୍ଥିତି ଯାହା, ଆଉ କିଛି କବାଡ଼ିଆ ହାତକୁ ଚାଲିଯିବାର ଆଶଙ୍କା ରହିଛି। ଏପଟେ ସାଇକେଲ ଟ୍ରାକ୍‌ର ଅବସ୍ଥା ଦେଖିଲେ ସହରବାସୀ ମୋ ସାଇକେଲ କେଉଁଠି ଚଲାଇବେ ତାହା ବି ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨ହଜାର ସାଇକେଲ୍‌ରୁ ଏବେ ସହରରେ କେତେ ସାଇକେଲ୍‌ ରହିଛି, ତାହାର ହିସାବ କାହା ପାଖରେ ନାହିଁ। କିଛିଦିନ ତଳେ କେତେକ ସାଇକେଲ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେସବୁ ଚୋରି ସାଇକେଲ୍‌ଗୁଡିକ ମିଳିଲା କି ନାହିଁ ତାହାର ତଥ୍ୟ ମଧ୍ୟ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଏନେଇ ସ୍ମାର୍ଟସିଟି ଜିଏମ୍‌ ପୁରନ୍ଦର ନନ୍ଦ କହିଛନ୍ତି, ସାଇକେଲଗୁଡିକୁ ସଜଡ଼ାଯାଇ ପୁଣିଥରେ ବ୍ୟବହାର ଯୋଗ୍ୟ କରାଯିବ। ଏବେ ସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ ୬ଶହ ସାଇକେଲ ସଂଗ୍ରହ କରାଯାଇ ଡିପୋରେ ସଜଡାଯାଉଛି। ସାଇକେଲ କିଣାଯାଇଥିବା କମ୍ପାନୀ ୟୋଲୋ, ୟୁନୋ ଏହାର ମରାମତି କରୁଛନ୍ତି। ବର୍ଷାପୂର୍ବରୁ ସବୁ ସାଇକେଲ୍‌ର ମରାମତି ସରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଷା ପରେ ଲୋକମାନେ ଏହାକୁ ବ୍ୟବହାର କରିବେ ବୋଲି ଆଶା କରାଯାଉଛି।
୨୦୧୮ ହକି ବିଶ୍ୱକପ୍‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ହଜାର ସାଇକେଲ୍‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ପୁଣି ବିପୁଳ ଟଙ୍କା ଖର୍ଚ୍ଚ କରାଯାଇ ସହରରେ ସାଇକେଲ ଟ୍ରାକ୍‌ ସହ ଏହାର ପ୍ରଚାର ବାହାନାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକେଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌କୁ ସ୍କ୍ରାପ୍‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକେଲ୍‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡିଥିଲା।