କେନ୍ଦୁଝର/ଆନନ୍ଦପୁର,୪ା୧୦(ସ୍ବ.ପ୍ର): କେନ୍ଦୁଝର ଜିଲାର ସର୍ବପୁରାତନ ମା’ ଆଦ୍ୟ ଦୁର୍ଗାଦେବୀ ଅନୁଷ୍ଠାନ ପକ୍ଷରୁ ଆନନ୍ଦପୁର ପୌରପାଳିକା ୧୧ ନମ୍ବର ଓ୍ବାର୍ଡର ଫକୀରପୁରରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି। ଅନୁଷ୍ଠାନ ପକ୍ଷରୁ ମୃଣ୍ମୟୀ ଦୁର୍ଗାପୂଜା ପ୍ରାୟ ଦେଢ଼ ଶହ ବର୍ଷ ଧରି ପାଳନ ହୋଇ ଆସୁଥିବା ବେଳେ ୨୦୧୨ ମସିହାରୁ ଚାନ୍ଦୀ ମେଢ଼ ପ୍ରଦର୍ଶିତ ହେଉଛି। ଏଠାରେ ଜିଲାର ପ୍ରଥମ ତଥା ଏକ ମାତ୍ର ଚାନ୍ଦି ମେଢ଼ ଲାଗୁଛି। ଦେବୀ ଦୁର୍ଗାଙ୍କ ସହ ପାର୍ଶ୍ୱଦେବଦେବୀ ମଧ୍ୟ ସୁନା ଓ ରୁପା ଗହଣାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଭୋଗ ଢିଙ୍କିକୁଟା ଚାଉଳ ଚୂନାରେ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ପ୍ରଦାନ କରାଯାଉଛି।
ମୁତାବକ ଏଠାରେ ମା’ଙ୍କ ଭସାଣିରେ କୌଣସି ଗାଡ଼ି ବ୍ୟବହାର ହୋଇ ନ ଥାଏ। ଭକ୍ତମାନେ କାନ୍ଧେଇ ସେଠାରୁ ପ୍ରାୟ ଦେଢ଼ କିମି ଦୂର ପାଦରେ ଚାଲି ନଦୀରେ ବିସର୍ଜନ କରିଥାନ୍ତି। ଏଭଳି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ସେମାନଙ୍କ ବିଶ୍ୱାସ ରହିଛି। ଏଠାରେ ଦୁଇଟି ମେଢ଼ ପ୍ରସ୍ତୁତ ହୋଇଥାଏ। ଉପରେ ନନ୍ଦୀ ଓ ଭୃଙ୍ଗୀଙ୍କ ମେଢ଼ ଓ ତଳେ ଦେବୀ ଦୁର୍ଗା ଓ ପାର୍ଶ୍ୱଦେବଦେବୀଙ୍କ ମେଢ଼ ନିର୍ମାଣ ହୋଇଥାଏ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ମାନସିକ ପୂରଣ ହେଲେ ଭକ୍ତମାନେ ଶାଢ଼ି, ସୁନାରୁପା ଗହଣା ଆଦି ଦାନ କରିଥାନ୍ତି ବୋଲି ମା’ ଆଦ୍ୟ ଦୁର୍ଗାଦେବୀ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଭାଗୀରଥି ଲାହା କୁହନ୍ତି। ଅନୁଷ୍ଠାନର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ପ୍ରତି ବର୍ଷ ପୂଜା ପାଳନ ହୋଇ ଆସୁଛି। କରୋନା ପାଇଁ ଦୁଇ ବର୍ଷ ମାନ୍ଦା ହୋଇଥିବା ବେଳେ ଚଳିତ ବର୍ଷ ଆକର୍ଷଣୀୟ ମେଢ଼, ତୋରଣ ଓ ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ କରି ଧୁମ୍ଧାମରେ ପାଳନ କରାଯାଉଛି। ଚଳିତ ବର୍ଷ କରୋନା କଟକଣା ନଥିବାରୁ ମା’ଙ୍କ ଦର୍ଶନ ନିମନ୍ତେ ଭିଡ଼ ଜମୁଛି।