ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ

ଯାଜପୁର ଟାଉନ,୧୮।୧୦(ଡି.ଏନ.ଏ.): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ରଥଯାତ୍ରା ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ରଥଯାତ୍ରା ୯ଦିନ ପରିବର୍ତ୍ତେ ୮ଦିନ ହେବ। ଅକ୍ଟୋବର ୨୩ରେ ମା’ଙ୍କ ଷଷ୍ଠୀ ଓ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଶନିବାର ସନ୍ଧ୍ୟାରେ ମା’ଙ୍କ ସିଂହଧ୍ୱଜ ରଥ ପ୍ରତିଷ୍ଠା କରାଯିବା ପରେ ବିଭିନ୍ନ ଦେବଦେବୀଙ୍କୁ ରଥାରୂଢ଼ କରାଯାଇଥିଲା। ପ୍ରାତଃ ସମୟରେ ମା’ଙ୍କୁ ବୈତରଣୀ ନଦୀଜଳରେ ସ୍ନାନ ପରେ ରୀତିନୀତି ଅନୁଯାୟୀ ଷୋଡ଼ଶୋପଚାର ପୂଜା କରାଯାଇ ପହଡ଼ ହୋଇଥିଲା। ପହଡ଼ ଖୋଲିବା ପରେ ରଥ ପ୍ରତିଷ୍ଠା ପୂଜାକାର୍ଯ୍ୟ ହୋଇଥିଲା। ମା’ଙ୍କ ଚଳନ୍ତି ପ୍ରତିମାକୁ ରନତ୍ ସିଂହାସନରୁ ଏକ ସୁସଜ୍ଜିତ ବିମାନରେ ଅଙ୍ଗଲାଗି ସେବାୟତମାନେ ଆଣି ରଥ ଚତୁଃପାର୍ଶ୍ୱ ପରିକ୍ରମା ପରେ ରଥର ଦିବ୍ୟ ସିଂହାସନ ଉପରେ ସ୍ଥାପନ କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରଥଯାତ୍ରା ହେବାକୁ ଥିବାବେଳେ କୋଭିଡ୍‌ କଟକଣା ପାଇଁ ମନ୍ଦିର ଚାରିପଟ ୧୪୪ ଧାରା ଜାରି କରାଯିବା ସହ ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ ସ୍ଥିର କରାଯାଇଛି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍‌ପି ଚରଣ ସିଂ ମୀନାଙ୍କ ତତ୍ତ୍ୱାବଧାନରେ ମନ୍ଦିର ସେବାୟତ ଓ ପୋଲିସ ଅଧିକାରୀଙ୍କ ସହାୟତାରେ ରଥ ଟଣା ହୋଇଥିଲା। ମନ୍ଦିରର ମୁଖ୍ୟ ପ୍ରଶାସକ ତଥା ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଶିରୋପା ବାନ୍ଧି ବିରଜାଙ୍କ ପ୍ରତିମୂର୍ତ୍ତିକୁ ରଥାରୂଢ଼ କରାଇଥିଲେ।

Share