
ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ପ୍ରସିିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏଥିଲାଗି ଛତ୍ରପୁର ସହରଓ ଆଖ /ପାଖ ଗ୍ରାମ ସମେତ ସମଗ୍ର ଗଞ୍ଜାମ ଜିଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାସହ ଢୋଲ, ଘଣ୍ଟ, ଝାଞ୍ଜ ସାଙ୍ଗକୁ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ସମଗ୍ର ଗାଁଠୁ ସହର ପ୍ରକମ୍ପିତ ହେଉଛି। ସଭିଙ୍କ ଘର ଆଗରେ ପୂର୍ଣ୍ଣ କୂମ୍ଭ ରଖି ମା’ଙ୍କ ଶରଣ ପଶିଛନ୍ତି ଭକ୍ତ । କେବଳ ଏହି ଦଣ୍ଡ ଯାତ୍ରାରେ ହିଁ ଶିବ ଓ କାଳୀଙ୍କୁ ଏକତ୍ର ପୂଜା କରାଯାଇଥାଏ। ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ରହିଥିବାବେଳେ ଏହାକୁ ପାଳନ କରିବାରେ ଅନେକ କଷ୍ଟ କରିବାକୁ ପଡ଼ିଥାଏ। ଏହି ବ୍ରତ ପାଳିବା ଦ୍ବାରା ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଏହି ବିଶ୍ବାସକୁ ନେଇ ଭକ୍ତମାନେ ଯେତେ କଷ୍ଟ ହେଲେ ବି ବ୍ରତକୁ ପାଳନ କରୁଛନ୍ତି। ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭକ୍ତି ସହକାରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୨୧ ଦିନ କାଳ ଶିବ କାଳୀଙ୍କୁ ସଙ୍ଗରେ ଧରି ସମଗ୍ର ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମକୁ ଖାଲି ପାଦରେ ଚାଲିଚାଲି ଯାଇ ମାନସିକଧାରୀ ନୃତ୍ୟ କରିଥାନ୍ତି। ମଧ୍ୟାହ୍ନରେ ଟାଣ ଖରାରେ ଧୂଳି ଦଣ୍ଡ, ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ଜଳଦଣ୍ଡ, ଅର୍ଦ୍ଧ୍ୱରାତ୍ରରେ ଅଗ୍ନିଦଣ୍ଡକୁ ପରିବେଷଣ କରିବାରେ ଲାଗିଛନ୍ତି। ଏହା ସହ ଭକ୍ତମାନେ ଆମ୍ବ ପତ୍ରରେ ଦାନ୍ତ ଶୋଧିତ କରି, ଖୋଲା ଆକାଶ ତଳେ ଖରାରେ ବର୍ଷାରେ ନିଘାଞ୍ଚନ ସ୍ଥାନରେ ରହିବା ସହ ଦିନକୁ ଗୋଟିଥର ନିଶବ୍ଦ ରାତ୍ରରେ ଅକଟା ଅବଟା, ଅଫୁଟା ଖାଦ୍ୟ ଖାଇବେ।
ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗାଁ ସମେତ ତୁଡୁକପଲ୍ଲୀ, ହୂମର, କମାପଲ୍ଲୀ, କେରାଣ୍ଡି ତୋଳା ନାରାୟଣପୁର ନନ୍ଦ ପଣ୍ଡା ପଲ୍ଲୀ, ବିପୁଳିଙ୍ଗୀ, ସୀତା ନଗର ଓ କୁଆଁପଲ୍ଲୀ ଆଦି ଗ୍ରାମରେ ମା ଦଣ୍ଡକାଳୀ ଙ୍କ ପୂଜା ଏହାସହ ଜନସାଧାରଣଙ୍କ ମନୋରଞ୍ଜନ ଲାଗି ସାମାଜିକ ନାଟକମାନ ପରିବେଶଣ କରାଯିବ। ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲଣ୍ଡାବାଉଁଶ ଗାଁ ଦଣ୍ଡକାଳୀ ଯାତ୍ରା କମିଟିର ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଉଦ୍ଯାପିତ ହେବ।