ପୁରୁଷୋତ୍ତମପୁର ଚଳଚଞ୍ଚଳ: ଚାନ୍ଦି ଗହଣାରେ ସଜେଇ ହେଇ ପୂଜା ପାଉଛନ୍ତି ମା’ ଧନଦାତ୍ରୀ

ପୁରୁଷୋତ୍ତମପୁର,୧୬ା୧୦(ସୀମାଞ୍ଚଳ ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ ଧନଦାତ୍ରୀ ତଥା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲା ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇଉଠିଥିବାବେଳେ ପଣ୍ଡିତ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ସମ୍ପୂର୍ଣ୍ଣ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମା’ ଗଜଲକ୍ଷ୍ମୀଙ୍କ ମେଢ଼ ଦେଖିବା ସାଙ୍ଗକୁ ଆଶୀର୍ବାଦ ଭିକ୍ଷା ଲାଗି ଜନଗହଳି ଲାଗିରହିଛି।

ଏଠିକାର ସର୍ବପୁରାତନ ହେଉଛି ରଥସାହି ପୂଜା ମଣ୍ଡପ। ଦୀର୍ଘ ୪୭ ବର୍ଷ ହେଲା ଏଠାରେ ମା’ ଗଜଲକ୍ଷ୍ମୀ ପୂଜାପାଇ ଆସୁଛନ୍ତି। ମାତ୍ର ଦୁଇବର୍ଷ ହେଲା ପୂଜାକମିଟି ପକ୍ଷରୁ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ଆଉ ସାଢ଼େ ଛଅ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଅଳଙ୍କାରରେ ମା’ ସଜ୍ଜିତ ହୋଇ ଝଲସି ଉଠି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ସାଙ୍ଗକୁ ରଥସାହି ଛକରେ ନିର୍ମିତ ୩୦ ଫୁଟ ଉଚ୍ଚତାର ଆକର୍ଷଣୀୟ ଇଲେକ୍ଟ୍ରି ତୋରଣ ସାଙ୍ଗକୁ ସମଗ୍ର ସାହିଟି ରଙ୍ଗୀନ ଆଲୋକରେ ଝଲସି ଉଠିଛି। ଏହି ମେଢ଼କୁ ଦେଖିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା ଲାଗି ପ୍ରତ୍ୟହ ବିଭିନ୍ନ ଗ୍ରାମରୁ ଭକ୍ତଙ୍କ ସୁଅଛୁଟିବାରେ ଲାଗିଛି।

ମଙ୍ଗଳବାର ମା’ଙ୍କୁ ମେଲାଣି ଦିଆଯିବ। ମା’ ପୂଜାମଣ୍ଡପରେ ଥିବା ପର୍ଯ୍ୟନ୍ତ ପ୍ରତ୍ୟହ ହୋମଯଜ୍ଞ ମାନ ଜାରିରହିବ। ସମସ୍ତଙ୍କ ମଧ୍ୟରେ ଏକତା ରକ୍ଷାକରିବା ସହ ଶାନ୍ତିର ବାତାବରଣ ସୃଷ୍ଟି କରି ଭାଇଚାରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ହିଁ ଏଠାରେ ପ୍ରତିବର୍ଷ ପୂଜାର ଆୟୋଜନ କରାଯାଉଛି। ଏପରିକି ବର୍ତ୍ତମାନର ଆଧୁନିକତାରେ ବଶବର୍ତ୍ତୀହୋଇ ପୂର୍ବସଂସ୍କୁତିକୁ ଲୋକେ ଭୁଲି ଯାଇଥିବାବେଳେ ଏଠାରେ ସେହି ପୁରୁଣା ସଂସ୍କୁତିକୁ ସାହିବାସିନ୍ଦା ବଜାୟ ରଖିଛନ୍ତି। ସମସ୍ତେ ଏକତ୍ର ଭାବେ ଗାଁଦାଣ୍ଡରେ ତଳେ ବସି ପ୍ରସାଦ ସେବନ କରୁଥିବାର ଦୃଶ୍ୟ ଭାଇଚାରା ଦର୍ଶାଇଛି।

Share