କାଚ ମେଢ଼ରେ ଶୋଭାପାଇବେ ମା’

କଟକ,୧୬ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକ ସହର। ବିଭିନ୍ନ ମଣ୍ଡପରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ପାଇଁ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ପୂଜା ଦୌଡ଼ରେ ସାମିଲ ହୋଇଛି ରାଉସାପାଟଣା ଦୁର୍ଗା-କାଳୀ ପୂଜା କମିଟି। ଚଳିତବର୍ଷ ଏହି କମିଟି ପକ୍ଷରୁ ସହରରେ ପ୍ରଥମଥର ପାଇଁ କାଚ ମେଢ଼ ପ୍ରସ୍ତୁତ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାହିର ଲୋକମାନେ ଏହାକୁ ତିଆରି କରୁଛନ୍ତି। ଏହି ମେଢରେ ୨୫୦ ପିସ୍‌ କାଚ ବ୍ୟବହାର କରାଯାଇଛି। ୨ଏମ୍‌ଏମ୍‌, ୩ଏମ୍‌ଏମ୍‌ ଏବଂ ୫ ଏମ୍‌ଏମ୍‌ର କାଚ ବ୍ୟବହାର କରାଯାଇଛି। ଏଥିସହ ବିଭିନ୍ନ ରଙ୍ଗବେରଙ୍ଗର ୨ ଏମ୍‌ଏମ୍‌ର ୫୯ ପିସ୍‌ର କାଚ ଯୋଡାଯାଇଛି। ଆଲୋକ ପଡିବା ମାତ୍ରେ ଏହା ଝଲସିବ। ଏହି ମେଢ ତିଆରି ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମେଢର ଉଚ୍ଚତା ୧୦ ଫୁଟ ଓ ଚଉଡ଼ା ୧୪ ଫୁଟ ରହିଛି। ମେଢକୁ ସାହି କାରିଗର ତିଆରି କରୁଥିବାବେଳେ ସାହିର ଯୁବକ ଅମରଜିତ୍‌ ସେନ୍‌, ବନବିହାରୀ ଦାସ, ସଞ୍ଜୟ ଦାସ, ଅଜୟ ସେନ୍‌ ପ୍ରମୁଖ ସହଯୋଗ କରୁଛନ୍ତି। ତାରକସି କାର୍ଯ୍ୟ ଭଳି ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଏଥିରେ କରାଯାଇଛି। ମେଢ ସହ କବାଟ, ସିଂହାସନ, ପାଶ କାଠି ମଧ୍ୟ କାଚରେ ପ୍ରସ୍ତୁତ କରାଯାଇଛି। ସୋଲ ଓ ଅଠାରେ କାଚକୁ ଯୋଡା ଯାଇଛି।

Share