ଦେବୀଗଡ଼ାରେ ମା’ଙ୍କୁ ମେଲାଣି

କଟକ ଅଫିସ,୭ା୧୦: ଶେଷ ହୋଇଛି ଦୁର୍ଗାପୂଜା। ଗୁରୁବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଚଳିତବର୍ଷ କଟକ ସହରର ୧୭୨ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଥିଲା। ୨ ବର୍ଷର କୋଭିଡ୍‌ କଟକଣା ପରେ ଏବର୍ଷ ପୁଣି ଭସାଣି ଉତ୍ସବ ଆୟୋଜନ ହୋଇଛି। ଏଥିପାଇଁ କଟକ ସହରରେ ଦେଖିବାକୁ ମିଳିଥିଲା ଆଉ ଏକ ଉତ୍ସବର ପରିବେଶ। କେତେକ ସ୍ଥାନରେ ବୁଧବାର ରାତିରୁ ମା’ଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଉକ୍ତ ରାତିରେ ୯ଟି ମେଢ ଶୋଭାଯାତ୍ରାରେ ଯାଇ କାଠଯୋଡିର ଦେବୀଗଡାଠାରେ ବିସର୍ଜନ କରାଯାଇଥିବା ଜଣାପଡିଛି। ଗୁରୁବାର ସକାଳୁ ପୁଣି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ମଣ୍ଡପରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇଥିଲା। ହେଲେ ଏଥିରେ ବର୍ଷା ବାଧକ ସାଜିଥିଲା। ବର୍ଷା ଯୋଗୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଜରି ଘୋଡାଇ ନିଆଯାଇଥିଲା। ବର୍ଷା ଲାଗି ରହିବାରୁ ଲୋକଙ୍କ ଉତ୍ସାହ କମିବାରେ ଲାଗିଥିଲା। ହେଲେ ସନ୍ଧ୍ୟାରେ ବର୍ଷା କମିବାରୁ ଲୋକଙ୍କ ଭିଡ଼ ଜମିବା ସହ ଉତ୍ସାହ ବଢିଥିଲା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା କଟକ ସହର। ବିଭିନ୍ନ ସ୍ଥାନରେ ଦଳମତ ନିର୍ବିଶେଷରେ ମେଢଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭସାଣି ପାଇଁ ଦେବୀଗଡାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଉକ୍ତ ପୋଖରୀରେ ମେଢଗୁଡିକୁ ବିସର୍ଜନ କରାଯାଇଛି। ରିପୋର୍ଟ ଲେଖାଯିବାବେଳକୁ ୬୦ଟି ମେଢ ବିସର୍ଜିତ ହୋଇଥିବା ଜଣାପଡିଛି।
ଚଳିତବର୍ଷ ଦଶହରା ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମୋଟ୍‌ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ୬ ଜଣ ଅତିରିକ୍ତ ଡିସିପି, ୪୦ ଜଣ ଡିଏସ୍‌ପି/ଏସିପି, ୫୫ ଜଣ ଆଇଆଇସି, ୨୯୭ ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୪୦ ମହିଳା ପୋଲିସ ଅଧିକାରୀ, ୨୦ ପିସିଆର୍‌, ୩ ସ୍ବତନ୍ତ୍ର ମୋବାଇଲ ଟିମ୍‌କୁ ମୁତୟନ କରାଯାଇଥିଲା। ଏଥିସହ ସହରର ବିଭିନ୍ନ ସ୍ଥାନରେ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଥିଲା। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପିନାକ ମିଶ୍ର, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଡିଜିପି ସୁନୀଲ ବଂଶଲ ମଧ୍ୟ ନିୟମିତ ଭାବେ କଟକ ଡିସିପି ଓ କମିଶନରଙ୍କ ସହ ଯୋଗାଯୋଗ ରକ୍ଷା କରି ପରିସ୍ଥିତି ଉପରେ ନଜର ରଖିଥିଲେ। ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ବ୍ୟବହାର ପାଇଁ ଉପକରଣ, ବୋଟ୍‌, ଲାଇଫ ଜ୍ୟାକେଟ୍‌ ଆଦି ପ୍ରସ୍ତୁତ ରଖାଯାଇଥିଲା।