Categories: ମେଟ୍ରୋ

ମଣିମହଲରେ ଝଟକିବେ ମା’

ଭୁବନେଶ୍ୱର,୮।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ସବୁବେଳେ କିଛି ନୂଆ ଥିମ୍‌ ନୟାପଲ୍ଲୀ ଦୁର୍ଗା ମଣ୍ଡପରେ ଦେଖିବାକୁ ମିଳେ। ଏଥର ମଧ୍ୟ ମା’ଙ୍କ ଆଗମନ ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଜରାଟର ମଣିମହଲ ଆକୃତିରେ ଝଟକିବ ଏଥରର ତୋରଣ। ୮୫ ଫୁଟ୍‌ ଉଚ୍ଚତା ଓ ୧୨୦ ଫୁଟ୍‌ ଚଉଡ଼ାରେ ତୋରଣ ପ୍ରସ୍ତୁତି ଚାଲିଛି। ୪୫ଜଣରୁ ଅଧିକ କାରିଗର ଏହି କାର୍ଯ୍ୟରେ ସାମିଲ ଅଛନ୍ତି। ଜନ୍ମାଷ୍ଟମୀ ପରଠାରୁ ତୋରଣ କାମ ଆରମ୍ଭ ହୋଇଛି। ସେହିପରି ମୂର୍ତ୍ତିର ଉଚ୍ଚତା ୧୫ଫୁଟ୍‌, ମେଢ଼ ୧୮ଫୁଟ୍‌ ରହିବ। କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯିବ ନାହିଁ। ସମାଜକୁ ବାର୍ତ୍ତା ଦେଲା ଭଳି ଲାଇଟ୍‌ ଗେଟ୍‌ କରାଯିବ। ଏଥିସହ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଷଷ୍ଠୀଦିନ ଭଜନ ସମାରୋହ, ସପ୍ତମୀରେ ମେଲୋଡି, ଅଷ୍ଟମୀରେ ଭଜନ ସମାରୋହ ଓ ନବମୀରେ ମେଲୋଡି ପରିବେଷଣ କରାଯିବ। ପ୍ରତ୍ୟେକ ଦିନ ରାମଲୀଳା ପରିବେଷିତ ହେବ। ଅଷ୍ଟମୀ ଦିନ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଦିଆଯିବ। ବିଧି ଅନୁସାରେ ଦଶମୀ ଓ ରାବଣପୋଡ଼ି ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ନୟାପଲ୍ଲୀ ମଣ୍ଡପ ପକ୍ଷରୁ ସ୍ଥାନୀୟ ମଣ୍ଡପକୁ ନିମନ୍ତ୍ରଣ କରାଯିବ। ସମ୍ବର୍ଦ୍ଧନା ଉତ୍ସବ ପାଳନ ହେବ ଓ ଏହା ପରେ ସମସ୍ତେ ମିଶି ଗୋଟିଏ ପରେ ଗୋଟିଏ ଭସାଣି ଶୋଭାଯାତ୍ରାରେ ବାହାରିବେ। ପୂଜା ମଣ୍ଡପ ଓ ପେଣ୍ଡାଲରେ ସିସି କ୍ୟାମେରା ଲଗାଯିବ। ପୋଲିସ ଓ ଟ୍ରାଫିକ୍‌ ପୋଲିସ ସହ ପୋଲିସ ମିତ୍ର ଓ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହ ଫାୟାର ଗାଡ଼ି, ଆମ୍ବୁଲାନର୍ସ ବ୍ୟବସ୍ଥା ହୋଇଛି। କମିଟି ସଦସ୍ୟ ଶତ୍ରୁଘ୍ନ ବେହେରା, ସନାତନ ବେହେରା, ରାଜକିଶୋର ସାମନ୍ତରାୟ, ନଟବର ସାମନ୍ତରାୟ, ଜୟପ୍ରକାଶ ଦାସ ପ୍ରମୁଖଙ୍କ ସହଯୋଗରେ ପୂଜା ଆୟୋଜନ ଚାଲିଛି।

Share