ଧୂମ୍‌ଧାମରେ ଚାଲିଛି ମା’ଙ୍କ ପୂଜା

ଛତ୍ରପୁର,୨୧ା୧୦(ଦିଲ୍ଲୀପ ସାମଲ): ଧରାବତରଣ କରିଛନ୍ତି ମା’ ଜଗତ୍‌ଜନନୀ ଦୁର୍ଗା l ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ଶନିବାର ମା’ଙ୍କର ସପ୍ତମୀ ପୂଜା ଚାଲିଛି। ଦୁର୍ଗା ପୂଜା ନିମନ୍ତେ ଗଞ୍ଜାମ ଜିଲା ଛତ୍ରପୁର ସହରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଙ୍କ ଷୋଳଦିନାତ୍ମକ ପୂଜା ଚାଲିଛି। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଛତ୍ରପୁର ଉପକଣ୍ଠ ନୀଳାଦ୍ରିପୁର ପର୍ବତ ଶିଖରେ ବିଜେ କରିଥିବା ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଧୂମ୍‌ଧାମରେ ଚାଲିଛି ପୂଜା। ସେହିପରି ଟାକିରିଆ ବ୍ରହ୍ମପୁରସ୍ଥିତ ମା’ କନକଦୁର୍ଗାଙ୍କ ମନ୍ଦିର, ବିପୁଳିଙ୍ଗୀ ଗ୍ରାମ ପାହାଡ଼ ଉପରେ ବିଜେ କରିଥିବା ମା’ ବିରସିଂହୀଙ୍କ ମନ୍ଦିର, ପୋଡ଼ାପଦର ଗ୍ରାମସ୍ଥିତ ମା’ କନ୍ଧୁଣି ମହାମାୟୀଙ୍କ ମନ୍ଦିର, ଛତ୍ରପୁର ସହରର ଗ୍ରାମଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ମନ୍ଦିର ଓ କୋର୍ଟ ଷ୍ଟେଶନ ସାହି କାଳୀ ମନ୍ଦିରରେ ମଧ୍ୟ ମା’ଙ୍କ ନବରାତ୍ର ପୂଜା ଧୂମ୍‌ଧାମରେ ପାଳନ ହେଉଛି। ସେହିପରି ସହରର ଲୋୟର ବସଷ୍ଟାଣ୍ଡ୍‌, ବଡ଼ ବଜାର ଆଦି ସ୍ଥାନରେ ମା’ଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି, ଚଣ୍ଡୀପାଠ, ମହାପୂଜା, ବାହ୍ୟ କୁମ୍ଭ ପୂଜା, ହୋମ ଆଦି କାର୍ଯ୍ୟକ୍ରମ ପଣ୍ଡିତମାନଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପାଳନ କରାଯାଉଛି। ମା’ଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share