ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଶିଳ୍ପାଞ୍ଚଳ ପାର୍ଶ୍ୱ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀ ଯାତ୍ରା ବୁଧବାର ରାତ୍ରରୁ ଆରମ୍ଭ ହୋଇଛି। ତେଣୁ ମହାନଗରର ୪୦ନଂ. ୱାର୍ଡ ଆଙ୍କୁଲି ଉତ୍ସବମୁଖର ହୋଇଯାଇଛି। ଏହି ଦ୍ୱି-ବାର୍ଷିକ ଯାତ୍ରା ୧୫ ଦିନ ଚାଲିବ ଏବଂ ଆସନ୍ତା ମେ ୧୧ ତାରିଖ ରାତିରେ ଉଦ୍ଯାପିତ ହେବା ସହ ଠାକୁରାଣୀ ନିଜସ୍ବ ମନ୍ଦିରକୁ ବାହୁଡ଼ିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଯାତ୍ରା ପରିଚାଳନା କମିଟି ସଭାପତି ତଥା ୱାର୍ଡର ବିଜେଡି କର୍ପୋରେଟର ଭାଗୀରଥି ମହାରଣା ଏହି ସୂଚନା ଦେଇଛନ୍ତି।
ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମନ୍ଦିରରେ ପରମ୍ପରା ପ୍ରକାରେ ପୂଜାର୍ଚ୍ଚନା ଓ ହୋମ ଆଦି ଅନୁଷ୍ଠିତ ହୋଇଥିଲା। ଗଁା ଦାଣ୍ଡକୁ ଆସିବା ନିମନ୍ତେ ଆବାହନ କରାଯାଇ ମସ୍ତକରେ ଫୁଲମାଳ ସ୍ଥାପନ କରାଯାଇଥିଲା। କିଛି ସମୟ ପରେ ମାଳ ଆପେ ଖସିବାରୁ ଯାତ୍ରା ଦାଣ୍ଡକୁ କନକ ଦୁର୍ଗା ଆସିବାର ସଂକେତ ମିଳିଥିଲା। ଶତାଧିକ ମହିଳା ଓ ପୁରୁଷ ମା’ଙ୍କ ଫୁଲ ଚାଙ୍ଗୁଡ଼ି ସହ ବିରାଟ ପଟୁଆରରେ ବାହାରିଥିଲେ। ଘଣ୍ଟ, ତାଳ ବାଦ୍ୟ ବାଜଣା ଓ ଶଙ୍ଖ ନାଦରେ ସମଗ୍ର ଅଞ୍ଚଳ କମ୍ପିଥିଲା। ପରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା। କନକ ଦୁର୍ଗାଙ୍କୁ ଅଣାଯାଉଥିବା ବେଳେ ବିଭିନ୍ନ ସାହିରେ ସମସ୍ତଙ୍କ ଦାଣ୍ଡ ଦୁଆରେ ପୂର୍ଣ୍ଣ କୁମ୍ଭ ସହ ପୂଜାର୍ଚ୍ଚନା କରାଯାଇଥିଲା। ଯାତ୍ରାବେଳର ଦେଶୀ ବେହେରା କୁହାଯାଉଥିବା ବିଷ୍ଣୁ ବେହେରା ଘଟ ମୁଣ୍ଡାଇଥିଲେ। ମନ୍ଦିର ଭିତରେ ସବୁ କାର୍ଯ୍ୟ ପୂଜକ ଭାଗ୍ୟ ଗନ୍ତାୟତ ସମ୍ପାଦନା କରିଥିଲେ।
ଯାତ୍ରା କମିଟି ସଭାପତି ମହାରଣାଙ୍କ ସମେତ ଏଲ. ସୁଦାମ ଦାସ, ବ୍ରଜ ମୋହନ ପ୍ରଧାନ, ଭବାନୀ ନାୟକ, ପୀତବାସ ପ୍ରଧାନ, ଧୀରେନ ଚୌଧୁରୀ, ପ୍ରକାଶ ଘଟୁଆଳ, ମୁନା ସେଠୀ, ଶାନ୍ତି ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଙ୍କୁଲିରେ ରଙ୍ଗବେରଙ୍ଗର ଆଲୋକମାଳା ଝଲସୁଛି। ୧୫ ଦିନ ଅବଧି ମଧ୍ୟରେ ବିଭିନ୍ନ ମେଢ଼, କଳାକୁଞ୍ଜ ଓ ଦେବାଦେବୀଙ୍କ ଆକର୍ଷଣୀୟ ରଥ ବାହାରିବାର କାର୍ଯ୍ୟକ୍ରମ ରହିଛି। ନିରବଛିନ୍ନ ବିଦ୍ୟୁତ ସେବା, ଜଳଯୋଗାଣ ଓ ଶାନ୍ତି ଶୃଙ୍ଖଳା ପାଇଁ ପଦକ୍ଷେପ ନିଆଯାଇଛି।