ଦାଣ୍ଡେ ଦାଣ୍ଡେ ପୂଜାପାଉଛନ୍ତି ମା’ ଫୁଲସୁନ୍ଦରୀ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଦୁଇଜଣ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ମା’ ଫୁଲସୁନ୍ଦରୀ ଓ ମା’ ବରାହୀ ଠାକୁରାଣୀଙ୍କ ଘଟ ମୁଣ୍ଡାଇ ପ୍ରତ୍ୟହ ସନ୍ଧ୍ୟାରେ ସହର ପରିକ୍ରମା କରିବାରେ ଲାଗିଛନ୍ତି। ଚାଙ୍ଗୁଡିଆପଦର ସାହି ଅସ୍ଥାୟୀ ମନ୍ଦିରରୁ ବାହାରି ଦିନେ ପୂର୍ବଖଣ୍ଡ ବଡବଜାର, ରାଧାକାନ୍ତସାହି,ରଥସାହି, ପୋଲିସ କଲୋନି, ଅମୁଣିଆ ସାହି, କଲେଜଛକ, ପୁରୁଣା ପୋଷ୍ଟଅଫିସ ସାହିକୁ ପରିକ୍ରମା କରୁଥିବା ବେଳେ ଅନ୍ୟଦିନେ ପଶ୍ଚିମଖଣ୍ଡ ନନ୍ଦିକ ସାହି, ପୁରୁଣା ଜଗନ୍ନାଥ ସାହି, ଗଡସାହି, କନକାସାହି, କାଳୀମନ୍ଦିର ଛକମାନ ପରିକ୍ରମା କରିବାରେ ଲାଗିଛନ୍ତି। ମା’ଙ୍କ ଘଟପରିକ୍ରମା ସମୟରେ ଲୋକେ ଦାଣ୍ଡେଦାଣ୍ଡେ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ଏହି ଯାତ୍ରା ଜୁନ ୧୨ ତାରିଖରେ ଉଦଯାପନ ହେବାସହ ମା’ ଫୁଲସୁନ୍ଦରୀ ଓ ବରାହ ଠାକୁରାଣୀ ନିଜସ୍ବ ମଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଅମବାସ୍ୟା,ସଂକ୍ରାନ୍ତି ଓ ଗୁରବାରେ ମା’ଙ୍କ ଘଟ ପରିକ୍ରମା ବନ୍ଦ ରହିବ ବୋଲି ଯାତ୍ରା ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ କହିଛନ୍ତି।