ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଭକ୍ତମାନେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି।
ମାଁ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ଭକ୍ତ ମାନଙ୍କୁ ଧଳା ତଥା ଶୁଭ୍ର ରଙ୍ଗରେ ଦର୍ଶନ ଦେଇଥାନ୍ତି । ଏହି ବେଶରେ ଦେବୀଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି।

ଯାଜପୁରର ମା’ ବିରଜାଙ୍କ  ପୀଠ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ସେପଟେ ପୁରୀରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବାକୁ ଭିଡ଼ ଦେଖିବାକୁ ମିଳୁଛି ।ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଶ୍ରାଦ୍ଧ ଓ ତିଳତର୍ପଣ । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁମାନେ ନିଜର ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି ।

ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି | ଦୀର୍ଘ ପନ୍ଦରଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧିରହିଛି। ମହାଳୟା ଅମାବାସ୍ୟାରେ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ।

ପୂର୍ବରୁ ଶ୍ରୀମନ୍ଦିର ବାଇଶିପାହାଚରେ ପିଣ୍ଡଦାନ କରାଯାଉଥିଲା। ଟିକେଟ କାଟି ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିଲେ। ଏବେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରୀକୁ ଲାଗି ଭକ୍ତମାନେ ତିଳତର୍ପଣର ଅନ୍ତ କରି ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।ବିଶେଷକରି ଶ୍ରୀକ୍ଷେତ୍ରରେ ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ବ୍ରାହ୍ମଣମାନଙ୍କ ଦ୍ବାରା ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ପିତୃପୁରୁଷଙ୍କୁ ମହାପ୍ରସାଦ ଦେଇ ସନ୍ତୁଷ୍ଟ କରାଯାଏ ବୋଲି ବିଶ୍ୱାସ ରହିଛି। ସେହିପରିପବିତ୍ର ବିନ୍ଦୁସାଗର କୂଳରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରଦ୍ଧା ଅର୍ପଣ କରୁଛନ୍ତି