ବରଗଡ଼ ଅଫିସ୍,୩୧।୩: ଚୈତ୍ର ଶୁକ୍ଲପକ୍ଷ ମହାଦଶମୀ ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଶୁକ୍ରବାର ଅନ୍ନପୂର୍ଣ୍ଣା ବେଶରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହିତ ମା’ ସମଲେଶ୍ୱରୀଙ୍କ ଚୈତ୍ର ନବରାତ୍ର ପୂଜା ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଛି। ଦିନ ୯ଟା ୧୦ମିନିଟରୁ ଚଣ୍ଡୀହୋମ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ପୂର୍ଣ୍ଣାହୂତି ହୋଇଥିଲା। ପରେ ଆରତୀ, ପୁଷ୍ପାଞ୍ଜଳି ସହିତ ସାମୂହିକ ଆଶୀର୍ବାଦ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ।
ଆସନ୍ତା ୬ ତାରିଖ ଗୁରୁବାର ଚୈତ୍ର ପୂର୍ଣ୍ଣିମା ତିଥିରେ ମା’ ସମଲେଶ୍ୱରୀଙ୍କ ବାର୍ଷିକ ସ୍ନାନ ଉତ୍ସବ ଜଳାଭିଷେକ ଅନୁଷ୍ଠିତ ହେବା ସହିତ ମହାଭୋଗ ଅର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ପ୍ରାତଃ ୪ଟା ୧୮ମିନିଟରେ ଦେବୀଙ୍କ ମହାସ୍ନାନ ପୂର୍ବକ ଉପଚାର ଏବଂ ପ୍ରାତଃ ୫ଟା ୧୦ମିନିଟରୁ ଭକ୍ତମାନଙ୍କ ଦ୍ୱାରା ଶୀତଳଧାରା ଅର୍ପଣ କାର୍ଯ୍ୟକ୍ରମ ହେବ ବୋଲି ବରଗଡ଼ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି।