କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ

ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମନ୍ଦିର ଦ୍ୱାର ଫିଠା ହୋଇଥିଲା । ପୂର୍ବାହ୍ନ ୧୧ଟା ୪୫ମିନିଟରୁ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦେବୀଙ୍କଠାରେ ଅନ୍ନଭୋଗ ନୀତି ହୋଇଥିଲା । ଅପରାହ୍ନ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ପୂଜକମାନେ ଦେବୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରିଥିଲେ। ମା’ ସମଲେଇ ସମ୍ବଲପୁରୀ ପାଟବସ୍ତ୍ର, ସୁନାର ପଦ୍ମମୁଖ, କର୍ଣ୍ଣାଞ୍ଚଳ, ଢ଼ାଲ, କଙ୍କଣ, ମୁକୁଟ, ଲଲାଟପଟ୍ଟି, ବେଲପତ୍ରି, ନଥ, ଡଡିଁ, ଅର୍ଦ୍ଧଚନ୍ଦ୍ର, କିଆପତରି, ସୁନା ଛତ୍ର, ରୂପାର ସିଂକଟା, କିରଟିରେ ଆଭୁଷିତ ହୋଇଥିଲେ । ଅପରାହ୍ନ ସାଢ଼େ ୪ଟାରେ ଆଳତୀ ହେବା ସହ ଭକ୍ତମାନେ ମନଲୋଭା ରାଜରାଜେଶ୍ୱରୀ ବେଶ ଦର୍ଶନ କରିଥିଲେ । ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ପଞ୍ଚବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ସମଲେଇଙ୍କୁ ମୁଣ୍ଡିଆ ମାରି ସହସ୍ରାଧିକ ଭକ୍ତ ଦେବୀଙ୍କୁ ଆରାଧନା କରିଥିଲେ । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ସମେତ ଅକ୍ଷୟ ରାୟ, ଅମିୟ ରାୟ, ବୃନ୍ଦାବନ ରାୟ, ଓକିଲ ରାୟ, କୋଦଣ୍ଡ ରାୟ, ମନୋଜ ରାୟ, ସଗନ ରାୟ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ଓ ଟ୍ରଷ୍ଟ ସଭ୍ୟଙ୍କ ତତ୍ତ୍ୱାବଧାନରେ ଭକ୍ତମାନେ ଦେବୀଙ୍କ ଦର୍ଶନ କରିଥିଲେ ।

Share