ମା’ ତାରାତାରିଣୀ, ଦକ୍ଷିଣକାଳୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୭ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀ ଓ ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି। ଏହା ଷୋହଳ ଦିନ ଧରି ଚାଲିବ। ପ୍ରଥମ ଦିନ ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ପ୍ରତିମାକୁ ସ୍ନାନବେଦୀକୁ ଅଣାଯାଇଥିଲା। ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା କରି ସେବାୟତ ବୋହୂମାନେ ଆଣିଥିବା ଜଳରେ ମା’ଙ୍କୁ ସ୍ନାନ କରାଯାଇ ପୁଣି ଗର୍ଭଗୃହକୁ ନିଆଯାଇଥିଲା। ସେଠାରେ ସଙ୍କଟ ତାରିଣୀଙ୍କ ସହ ମହାସ୍ନାନ କରାଯାଇଥିଲା। ମା’ଙ୍କ ମୁଖ୍ୟ ପୁରୋହିତ ପ୍ରତାପୁର ଗ୍ରାମର ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମା ପରମ୍ପରା ଅନୁସାରେ ସମସ୍ତ ପୂଜାର୍ଚ୍ଚନା କରି ରାତିରୁ ଚଣ୍ଡିପାଠ ଓ ପୂଜା କରୁଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା କର୍ତ୍ତା ହୋଇଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ଧୃବରଣାଙ୍କ ସମେତ ସମସ୍ତ ସେବାୟତ ପୂଜା କାର୍ଯ୍ୟରେ ଲାଗିଛନ୍ତି। ଷୋହଳ ଦିନ ବ୍ୟାପି ପ୍ରତ୍ୟହ ଦିନକୁ ୨ଥର ଚଣ୍ଡି ପାଠ ହେବ। ମାଙ୍କ ଏହି ପର୍ବରେ ଆର୍ଶିବାଦ ଭିକ୍ଷା ଲାଗି ଭକ୍ତଙ୍କ ପ୍ରବଳ ଭିଡ ଜମିବାରେ ଲାଗିଛି। ସେହିପରି ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣକାଳୀଙ୍କ ପୀଠରେ ମଧ୍ୟ ପୂଜା ଆରମ୍ଭ ହୋଇଛି। କିମ୍ବଦନ୍ତି ପ୍ରକାରେ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଉତ୍କଳର ସୁପ୍ରସିଦ୍ଧ କବିସୂର୍ଯ୍ୟ ବଳଦେବ ରଥଙ୍କ ଜ୍ୟେଷ୍ଠଭ୍ରାତା ଲୋକନାଥ ରଥଙ୍କ ଉଦ୍ୟମରେ ଜଉଗଡ଼ରେ ଅବହେଳିତ ଅବସ୍ଥାରେ ଥିବା କାଳୀ ମୂର୍ତ୍ତିଙ୍କୁ ଆଣି ଜଳେଶ୍ୱରଖଣ୍ଡିରେ ଅବସ୍ଥାପିତ କରିଥିଲେ। ମା ଦକ୍ଷିଣକାଳୀ କଳା ମୁଗୁନି ପଥରରେ ଅଷ୍ଟାଦଶ ଭୁଜା ମହିଷାସୁରକୁ ବଧ କରିବା ମୁଦ୍ରାରେ ଅଛନ୍ତି। ଏଠାରେ ଷୋଡ଼ଶ ଦିବ୍ୟସିଂହ ଶାରଦୀୟ ଦୁର୍ଗାପୂଜା କରାଯାଏ। ପ୍ରତ୍ୟେକ ଦିନ ୩ ଥର ଚଣ୍ଡୀ ପାଠ ଷୋଡଶ ଉପଚାର ପୂଜା ଓ ମହାପୂଜା କରାଯିବା ସହ ମହାଷ୍ଟମୀ ପୂଜା କରାଯାଇଥାଏ। ମହା ନବମୀ ଦିନ ବିଶ୍ରାମ ଚଣ୍ଡୀ ପୂଜା ହୁଏ। ଦଶହରା ସନ୍ଧ୍ୟାରେ ଦେବୀଙ୍କ ଘଟ ବିସର୍ଜନ ହୋଇଥାଏ । ମୁଖ୍ୟ ପୁରହିତ ଦିବ୍ୟସିଂହପୁରର ପଣ୍ଡିତ ବାସୁଦେବ ମିଶ୍ର ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ମନ୍ଦିର ପରିଚାଳନା ଟ୍ରଷ୍ଟି ଶଶି ଭୂଷଣ ପଣ୍ଡା ଓ ସମସ୍ତ ସେବକଙ୍କ ସହଯୋଗ କରୁଛନ୍ତି।

Share