ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ଗଣମାଧ୍ୟମ ପ୍ରବେଶ ଉପରେ ଲାଗିଲା ରୋକୋ

ପୁରୁଷୋତ୍ତମପୁର,୨୬।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର  ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମଧ୍ୟ  ରାତିରୁ ମନ୍ଦିରରେ  ଭକ୍ତଙ୍କ ଭିଡ଼ ଲାଗଛି।  ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ରାତି ୧୨.୪୫ରେ ମନ୍ଦିର ଦ୍ୱାର ଫିଟାହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ  ରୀତିନୀତି କରାଯାଇ ପୂଜାର୍ଚ୍ଚନା ହୋଇଥିଲା।  ପରେ ମା’ଙ୍କୁ ସେବାୟତମାନେ ମହାକାଳୀ ବେଶରେ ସଜ୍ଜିତ କରାଇବା ପରେ ଭୋର ୫.୪୫ରେ ସାହାଣ ମେଲା ହୋଇଥିଲା।  ପରେ  ମା’ ଭକ୍ତଙ୍କୁ ମହାକାଳୀ ରୂପରେ ଦର୍ଶନ ଦେଇଥିଲେ। ରାତ୍ର ତିନିଟାରୁ ମୂଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିବା ସେବାୟତ ବାପୁଜୀ ରଣାଙ୍କଠାରୁ ଜଣାପଡିଛି। ମା’ଙ୍କ ଯାତ୍ରାର ପ୍ରଚାରପ୍ରଶାର ପାଇଁ  ପୂର୍ବ ବର୍ଷମାନଙ୍କରେ ତତ୍କାଳୀନ ସ୍ଥାନୀୟ ପଶାସନିକ ଅଧିକାରୀମାନେ ଗଣମାଧ୍ୟମକୁ ଗୁରୁତ୍ୱ ଦେଉଥିବା ବେଳେ ଚଳିତବର୍ଷ ଗଣମାଧ୍ୟମକୁ ବାରଣ କରାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଯେପରି ଯାତ୍ରାକୁ ନ ଯାଇପାରିବେ ସେ ନେଇ ଏକ ପ୍ରକାରର ରୋକ ଲଗାଯାଇଛି।  ବାଇକ୍‌ ପାସ ବ୍ୟବସ୍ତାକୁ  ବନ୍ଦକରିଦେଇ ବହୁଦୂରରେ  ଅଟକା ଯାଉଛି। ଯାହାଦ୍ବାରା ପାହାଡ ପାଦଦେଶକୁ ଯାଇ ଖବର ସଂଗ୍ରହ  ଲାଗି ଗଣମଧ୍ୟମ ପ୍ରତିନିଧିମାନେ ସୁଯୋଗ ପାଇ ନ ପାରି ଅଧ ରାସ୍ତାରୁ ଫେରିଆସିଛନ୍ତି। ପ୍ରଶାସନର ଅବ୍ୟବସ୍ଥା ପଦାରେ ପଡିଯିବା ଭୟରେ ଗଣମାଧ୍ୟମକୁ ରୋକ ଲଗାଇଥିବା କୁହାଯାଉଛି। ପ୍ରଶାସନର ଏଭଳି କାର୍ଯ୍ୟକୁନେଇ ପୁରୁଷୋତ୍ତମପୁର ପ୍ରେସକ୍ଲବ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Share