ମା’ ତାରାତାରିଣୀଙ୍କ ମହାଗୌରୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଶନିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭୋର ସାଢ଼େ ୪ରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ମାଜଣା, ମହାଆଳତି ହୋଇ ସକାଳ ୭ଟାରେ ସାହାଣ ମେଲା ହୋଇଥିଲା। ପରେ ମା’ ତାରାତାରିଣୀ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ପରେ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମାଙ୍କ ଦ୍ୱାରା ଚଣ୍ଡିପାଠ, ହୋମ, ଯଜ୍ଞ ଆରମ୍ଭ ହୋଇଛି। ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ଧ୍ରୁବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନାରେ ଲାଗିଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ, ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଥାନା ଆଇଆଇସି ସମୀର କୁମାର ରାଉତଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ କରୁଛନ୍ତି।

ଅନ୍ୟପକ୍ଷେ ପାହାଡ଼ ପାଦଦେଶରେ ମୁଖ୍ୟ ରାସ୍ତା ଉପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ କରାଯାଥିବା ଗାଡି ପାର୍କିଂ ଷ୍ଟାଣ୍ଡକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାର୍କିଂ ଲାଗି ସ୍ବତନ୍ତ୍ର ସ୍ଥାନ ଯୋଗାଇ ନ ଦେଇ ମୁଖ୍ୟ ଯାତାୟାତ ରାସ୍ତାରେ କିଭଳି ଲୋକଙ୍କୁ ମନଇଚ୍ଛା ପାର୍କିଂ ନାମରେ ଟଙ୍କା ଆଦାୟ କରାଯାଉଥିବା ପର୍ଯ୍ୟଟକ ଏବଂ ଓ ଭକ୍ତମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ପାର୍କିଂ ନାମରେ କରାଯାଉଥିବା ଟଙ୍କା ଆଦାୟକୁ ବନ୍ଦ କରିବା ଲାଗି ଦାବି ହୋଇଛି।

Share