ଚଇତିପର୍ବ ମା’ ତାରିଣୀଙ୍କ ପ୍ରସିଦ୍ଧ ପର୍ବ ଭାବେ ପରିଚିତ। ଏହି ପର୍ବ ଲାଗି କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ତାରିଣୀଙ୍କ ପୀଠରେ ମୁଖରିତ ହୋଇଉଠେ। ପୂର୍ବରୁ ଏହି ପର୍ବ କେବଳ ପଣା ସଂକ୍ରାନ୍ତି ଦିନହଁି ପାଳିତ ହେଉଥିଲା। ମାତ୍ର ୧୯୩୭ ମସିହା ପରଠାରୁ ଏହି ପର୍ବ ୭ଦିନ ବ୍ୟାପୀ ପାଳିତ ହୋଇଆସୁଛି। ଚଇତି ପର୍ବରେ ପ୍ରତିଦିନ ମା’ଙ୍କ ସୁନାବେଶ କରାଯିବା ସହ ସକାଳ ଓ ସନ୍ଧ୍ୟା ସମୟରେ ସ୍ବତନ୍ତ୍ର ଭାବେ ମଙ୍ଗଳଆଳତୀ, ଭାଗବତ ପାଠ, ଚଣ୍ଡୀପାଠ ଓ ସତ୍ୟନାରାୟଣଙ୍କ ଆସ୍ଥାନ ପୂଜା ବିଧି ମୁତାବକ ହୋଇଥାଏ। ଚଳିତବର୍ଷ କରୋନା କଟକଣା ମଧ୍ୟରେ ୯ରୁ ଆରମ୍ଭ ହୋଇଥିବା ଏହି ପର୍ବ ୧୫ ତାରିଖରେ ଶେଷ ହେବ। ଅଧିକ ଭକ୍ତଙ୍କ ସମାବେଶକୁ ଆଖି ଆଗରେ ୧୩ରେ ମନ୍ଦିର ବନ୍ଦ ରହିଥିଲା। ଏଥିସହ ପଣାସଂକ୍ରାନ୍ତି ଦିନ ମନ୍ଦିର ବନ୍ଦ ରହିବା ସହ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଣୁ ଏହି ଅବସରରେ ମା’ ତାରିଣୀ ଓ୍ବେବ ସାଇଟ, ଫେସ ବୁକ ଲାଇଭ, ହ୍ବାଟସଆପ ତଥା ଏଲଇଡି ଟିଭି ମାଧ୍ୟମରେ ମା’ ଙ୍କ ପୂଜା ଓ ରୀତିନୀତିକୁ ପ୍ରଚାର କରିବା ପାଇଁ ବ୍ୟବସ୍ଥା କରାଯାଇଛି।
– ନରେଶ ପଟ୍ଟନାୟକ