ହସ୍ତିନାପୁର ତୋରଣରେ ଶୋଭା ପାଇବେ ମା’

ଭୁବନେଶ୍ୱର,୯।୧୦(ଶର୍ମିଷ୍ଠା ପାଣିଗ୍ରାହୀ):୬୦ବର୍ଷରେ ପହଞ୍ଚିଛି ବମିଖାଲ ଦୁର୍ଗାପୂଜା। ପ୍ରତିବର୍ଷ ଭଳି ଏଥର ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ ବମିଖାଲ ଦୁର୍ଗା ପୂଜା ସମିତି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତବର୍ଷ ହସ୍ତିନାପୁର ତୋରଣରେ ପୂଜା ପାଇବେ ମା’। ୨ ମାସ ହେବ କାରିଗରମାନେ କାମରେ ଲାଗି ପଡ଼ିଛନ୍ତି। ଓଡ଼ିଶା ଓ କୋଲକାତାର ପ୍ରାୟ ୪୦ରୁ ଅଧିକ କାରିଗର ତୋରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି କଟକର କାରିଗରମାନେ ମା’ଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ମୂର୍ତ୍ତିର ଉଚ୍ଚତା ୧୨ ଫୁଟ ଓ ମେଢର ଉଚ୍ଚତା ପ୍ରାୟ ୨୫ ରୁ ୩୦ ଫୁଟ ରହିବ। ଏଥର ବଜେଟ ପ୍ରାୟ ୫୦ ଲକ୍ଷରୁ ଅଧିକ ରହିଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମେଲୋଡ଼ି ସହ ଭଜନ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦଶମୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟମୀ ଦିନ ମହାପ୍ରସାଦ କରାଯିବ। ପ୍ରତିଦିନ ଖେଚୁଡ଼ି ଭୋଗ ଓ ନବମୀରେ ମା’ଙ୍କ ପାଖେ ଦହି ପଖାଳ ଭୋଗ ଲାଗିହେବ। ଭିଡ଼କୁ ଲକ୍ଷ୍ୟରେ ରଖି ସମିତି ପକ୍ଷରୁ ୩୦ଜଣ ସ୍ବେଛାସେବୀ ଓ ୧୦ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ସେହିପରି ପାରମ୍ପରିକ ବାଦ୍ୟଯାନ୍ତ୍ର, ଘୋଡ଼ା ନାଚ, ବୁଢ଼ୀ ନାଚ, ଡିଜେ ସହ ଭସାଣି ଶୋଭାଯାତ୍ରା ବମିଖାଲରୁ ବାହାରି ରସୁଲଗଡ଼ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ଯିବ। ସେଠାରୁ ରାଜମହଲ ପର୍ଯ୍ୟନ୍ତ ଭସାଣି କାର୍ଯ୍ୟକ୍ରମ ଚାଲିବ। ଏହାପରେ କୁଆଖାଇ ନଦୀରେ ମା’ଙ୍କ ବିସର୍ଜନ କରାଯିବ। ରବିବାର ସମିତି ପକ୍ଷରୁ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।

Share