ଗୋପାଳପୁର,୧୪ ।୮: (ଡି.ଏନ.ଏ.): ଗଞ୍ଜାମ ଜିଲା ତାମ୍ପରା ହ୍ରଦ ନିକଟରେ ଥିବା ଆର୍ଦ୍ରଭୂମିରେ ପ୍ରଥମ ଥର ପାଇଁ ମାଛରଙ୍କା ବିରାଡ଼ିଙ୍କ ଅବସ୍ଥିତି ସମ୍ପର୍କରେ ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଏବଂ ଡ. ବାସୁଦେବ ତ୍ରିପାଠୀ ନିଶ୍ଚିତ କରିଛନ୍ତି। ଶରୀରରେ ଥିବା ଅଲିଭ ଧୂସର ରଙ୍ଗର ଆସ୍ତରଣ, ଛୋଟ ଗୋଡ ଏବଂ ଓସାରିଆ ଶରୀର ଏମାନଙ୍କୁ ଚିହ୍ନିବାରେ ସହଯୋଗ କରେ। ବୈଜ୍ଞାନିକ ମହାପାତ୍ର କହଛନ୍ତି ଯେ ଜୁଲାଇ ୬ ରେ ହୋଇଥିବା ସର୍ଭେରେ ୨ଟି ବାଘାଡ଼ି ତାମ୍ପରା ହ୍ରଦରେ ଆଶିଷ କୁମାର ଦାଶ, ରାଜେଶ କୁମାର ବେହେରା, ସନ୍ଦୀପ ମହାପାତ୍ର, ସ୍ମୃତି ରେଖା ଆଚାର୍ଯ୍ୟ ପ୍ରଥମେ ଠାବ କରିଥିଲେ। ନିଶ୍ଚିତ ହେବା ପାଇଁ ସେମାନଙ୍କ ଫଟୋ ଉଠାଯାଇଥିଲା। ଶନିବାର ଏହା ମାଛ ରଙ୍କା ବିରାଡ଼ି ବୋଲି ନିଶ୍ଚିତ କରାଯାଇଥିଲା।