ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ ଗ୍ରାମାଞ୍ଚଳରେ ଶ୍ରମିକଙ୍କ ବଦଳରେ ମେଶିନରେ କାମ କରି ଅର୍ଥ ହରିଲୁଟ୍‌ କରାଯାଉଛି। ଫଳରେ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ନ ପାଇ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି। ଖୋଲାଖୋଲି ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ଆଖି ବୁଜିଦେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ସାନହୁଲା ପଞ୍ଚାୟତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଅନିୟମିତତା ବିରୋଧରେ ଅଞ୍ଚଳବାସୀ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠମଲ୍ଲିକ ବିଡିଓ, ଆଠମଲ୍ଲିକ ଉପଜିଲାପାଳ, ଲୋକପାଳ ପତ୍ର ମାଧ୍ୟମରେ ସେମାନେ ଅବଗତ କରାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ସିନ୍ଦୂରଖୋଳ-ଭଗାମୁଣ୍ଡା ଗ୍ରାମ ରାସ୍ତାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରାଯାଇଛି। ୮ ଲକ୍ଷ ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି। ହେଲେ ଏ ସମ୍ପର୍କିତ ସୂଚନା ଫଳକ ନାହିଁ। ପଞ୍ଚାୟତରେ ୧୧୨୫ ଜବକାର୍ଡଧାରୀ ଥିବା ସତ୍ତ୍ୱେ ସେମାନଙ୍କୁ ଏଥିରେ ନିୟୋଜିତ କରାଯାଉନାହିଁ। ଶ୍ରମିକଙ୍କ ଜବ୍‌କାର୍ଡ ସଂଗ୍ରହ କରି ଜେସିବି ମେଶିନରେ କାମ ଚାଲିଛି। ପଞ୍ଚାୟତ କାର୍ଯ୍ୟାଳୟରେ କାମ ପାଇଁ ଆବେଦନ କରିବା ସତ୍ତ୍ୱେ ଶ୍ରମିକଙ୍କୁ କାମ ଦିଆଯାଉନାହିଁ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ଉକ୍ତ କାମର ତଦନ୍ତ ଭିଜିଲାନ୍ସ ଏବଂ ଲୋକପାଳଙ୍କ ଜରିଆରେ କରିବା ପାଇଁ ଗ୍ରାମର ମୂଳିଆ ରାଉତ, ଲୋଚନ ରାଉତ, ଦେବହରି ସାହୁ, ନିରଞ୍ଜନ ପ୍ରଧାନ, ଚକ୍ରଧର ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବିଡିଓ ସୌଭାଗ୍ୟ ବେହେରା କୁହନ୍ତି, ଉକ୍ତ ରାସ୍ତା କାମ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ ଲୋକପାଳ କରିବେ।

Share