ବାରିପଦା ଅଫିସ, ୮।୫: ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପଡିବା ପରେ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଜିଲାର ସଦରମହକୁମା ବାରିପଦାସ୍ଥିତ ମଧୁବନ ସଇରାତ ଓ ବେତନଟୀ ତହସିଲ ଅଧୀନ ସଇରାତରୁ ଦିନରାତି ବେଆଇନ ବାଲି ଉତ୍ତୋଳନକୁ ରୋକାଯାଇପାରୁନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ରାଜସ୍ବ, ପୋଲିସ କିମ୍ବା ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ସ୍ଥାନୀୟ ଲୋକେ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବେ ବୋଲି କଡା ଚେତାବନୀ ଦେଇଛନ୍ତି।
ଖଣିଜ ଦ୍ରବ୍ୟ ଚୋରାଚାଲାଣ ଓ ବେଆଇନ ଉତ୍ତୋଳନକୁ ନେଇ ବଡ଼ସାହି ତହସିଲଦାର ଓ ଲିଜ୍ଧାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥବା ବେଳେ ଲିଜ୍ଧାରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ା
ବେତନଟୀ ତହସିଲ ଅଧୀନ ଦାରିହା ଓ ସର୍ବେଶ୍ୱରପୁର ଦେଇ ଚୋରାରେ ବାଲି ଉତ୍ତୋଳନ ଓ ଚାଲାଣ କରାଯାଉଛି ା ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରି ଏକ ଖୋଲା ସ୍ଥାନରେ ଡମ୍ପିଂ କରାଯାଇ ବଡ ବଡ ହାଇୱା ଯୋଗେ ଚାଲାଣ କରାଯାଉଛି ା ବିଳମ୍ବିତ ରାତିରେ ଗାଡିଗୁଡିକୁ ଏସକର୍ଟ ଦେଇ ଚାଲାଣ କରାଯାଉଥିବା ବେଳେ ମାଫିଆଙ୍କ ନାଲି ଆଖିକୁ ଦେଖି ଗ୍ରାମବାସୀ ମୁହଁ ଖୋଲୁନାହାନ୍ତି ା ସେହିପରି ମଧୁବନ ସଇରାତରୁ ରାତିରେ ଜେସିବି ମାଧ୍ୟମରେ ବାଲି ଉତ୍ତୋଳନ କରି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କରିବା ପରେ ଦିନବେଳା ଟ୍ରାକ୍ଟର ଯୋଗେ ତାହାକୁ ପରିବହନ କରାଯାଉଛି। ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ନିର୍ଦ୍ଧାରିତ ସୀମା ଊଲ୍ଲଂଘନ ଏବଂ ପରିମାଣଠାରୁ ଅଧିକ ଉତ୍ତୋଳନ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତଦନ୍ତ କରାଯାଉନାହିଁ ା
ନଦୀଗର୍ଭରୁ ପାଣିମିଶା ବାଲି ସହର ଦେଇ ପରିବହନ ଦ୍ୱାରା ରାସ୍ତା ସାରା ପାଣି କାଦୁଅରେ ଲୋକମାନେ ଚଳପ୍ରଚଳ କରୁଛନ୍ତି। ସଇରାତଗୁଡିକରେ ସୀମା ଖୁଣ୍ଟ ବସା ଯାଉ ନ ଥିବାରୁ ମନମୁଖୀ ଭାବେ ବାଲି ଉତ୍ତୋଳନ କରିବା ଦ୍ୱାରା ନଦୀର ଗତିପଥ ପରିବର୍ତ୍ତନ ହୋଇ ପରିବେଶ ଉପରେ ପ୍ରଭାବ ପକାଉଛି। ଏନେଇ ବାରିପଦା ତହସିଲଦାର ବିକ୍ରମ କିଶୋର ପରିଡା କହିଛନ୍ତି, ବେଆଇନ ବାଲି ପରିବହନ ଓ ଉତ୍ତୋଳନକୁ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟିିରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ସୁପରଭାଇଜର ମିଳିତ ଭାବେ ବେଆଇନ ଉତ୍ତୋଳନ ହେଉଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଜିଲାର କୁଳିଅଣା ଓ ମୋରଡା ତହସିଲ ଅଧୀନରେ ଥିବା ବୁଢାମରା ଓ ବୁଢାପାଳ ସଇରାତକୁ ଲଘୁ ଖଣିଜ ଅଧିକାରୀମାନେ ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବେଆଇନ ବାଲି ଉତ୍ତୋଳନକୁ ରୋକାଯାଇ ପାରିଲେ ଜିଲାର ରାଜସ୍ବ ବୃଦ୍ଧି ଘଟିବା ସହ ଉଚିତ୍ ମୂଲ୍ୟରେ ବାଲି ମିଳିପାରନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ା