ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍ଠାରେ ଥିବା ମାଡାମ୍ ତୁସାଦ୍ ମ୍ୟୁଜିୟମ୍କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ଥିଲା। ଖ୍ୟାତିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ମହମରେ ନିର୍ମିତ ହୋଇଥିବା ପ୍ରତିମୂର୍ତ୍ତି ଦେଖିବା ଲାଗି ପର୍ଯ୍ୟଟକ ବେଶ୍ ପସନ୍ଦ କରୁଥିଲେ। ବ୍ରିଟେନର ମର୍ଲିନ୍ ଏଣ୍ଟରଟେନ୍ମେଣ୍ଟ୍ କମ୍ପାନୀ ପକ୍ଷରୁ ମ୍ୟୁଜିୟମ୍ ବନ୍ଦ କରିବା ଲାଗି ଘୋଷଣା କରିଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ମାର୍ଚ୍ଚ ୨୦୨୦ଠାରୁ ବନ୍ଦ ରଖାଯାଇଥିଲା। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମର୍ଲିନ୍ ଏଣ୍ଟରଟେନ୍ମେଣ୍ଟ୍ ଇଣ୍ଡିଆର ମହାପ୍ରବନ୍ଧକ ତଥା ନିର୍ଦ୍ଦେଶକ ଅଂଶୁଳ ଜୈନ ସୂଚନା ଦେଇଛନ୍ତି। ଭାରତରେ ମ୍ୟୁଜିୟମ୍ ପାଇଁ ମର୍ଲିନ୍ ଏଣ୍ଟରଟେନ୍ମେଣ୍ଟ୍ ଅନ୍ୟ ବିକଳ୍ପ ସନ୍ଧାନ କରୁଥିବା ସେ କହିଛନ୍ତି। ମ୍ୟୁଜିୟମ୍ ଥିବା ବିଲ୍ଡିଂର ମାଲିକ ବିକ୍ରମ ବକ୍ସି କହିଛନ୍ତି ଯେ, ଏହା ଦିଲ୍ଲୀରେ ବନ୍ଦ ହେବା ଯୋଗୁ ସହରର ବଡ଼ ଧରଣର ଆର୍ଥିକ କ୍ଷତି ହେବ। ମର୍ଲିନ୍ ଏଣ୍ଟରଟେନ୍ମେଣ୍ଟ୍ ଭାରତରେ ଏନେଇ ନିବେଶ କରିଥିଲା। ତେବେ ମ୍ୟୁଜିୟମ୍ ବନ୍ଦ ହେବା ସହିତ ସମସ୍ତ ନିବେଶ ମଧ୍ୟ ଶେଷ ହେବ ବୋଲି ସେ କହିଛନ୍ତି।