Categories: ଜାତୀୟ

ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ମୁମ୍ବାଇ, ୧୩ ।୯: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ସରକାର ଚଳାଇ ପାରୁ ନାହାନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଜନତା ଆଉ ,କ ନୂଆ ସରକାର ନିର୍ବାଚିତ କରିବେ ଯିଏ ମହାରାଷ୍ଟ୍ରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାରୁରୂପେ ଚଲାଇ ପାରିବ । ଏମିତି ଅନୁରୋଧ କରିଛନ୍ତି ନୌସେନାରୁ ଅବସର ଗ୍ରହଣ କରିଥିବା ଅଧିକାରୀ ମଦନ ଶର୍ମା । ସୂଚନାଯୋଗ୍ୟ, ଶନିବାର ହ୍ୱାଟସ୍ ଆପରେ ଏକ କାର୍ଟୁନ ଶେୟାର କରିବାକୁ ନେଇ ଶିବସେନାର କେତେଜଣ କର୍ମୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଆଉ ଏହାପରେ ରବିବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି । ଶନିବାର ମଦନ ଶର୍ମାଙ୍କୁ ମାଡ ମରାଯିବା ଘଟଣାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଅତିରିକ୍ତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ପ୍ରଦର୍ଶନକାରୀଙ୍କ ମଧ୍ୟରେ ମାଡ ଖାଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଝିଅ ବି ଉପସ୍ଥିତ ରହିଥିଲେ । ଏମାନେ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହିନ ମାମଲା ପାଇଁ ଦାବି କରିଥିଲେ । ମଦନଙ୍କ ଝିଅ ଶିଲା ଶର୍ମା କହିଥିଲେ ମହାରାଷ୍ଟ୍ର ସରକାରଙ୍କୁ ମୁଁ କିଛି କହିବାକୁ ଚାହୁଁନାହିଁ କାରଣ ତାଙ୍କ ଉପରେ ମୋର ଭରସା ନାହିଁ ।

Share