ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା

ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍‌ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ ସିଧାସଳଖ ଟିକା କିଣିବା ପାଇଁ ଯୋଜନା କରିବା ସହ କେତେକ ରାଜ୍ୟ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ବାନ କରିଥିଲେ। ତେବେ ରାଜ୍ୟକୁ ଟିକା ଯୋଗାଇବା ପ୍ରସ୍ତାବକୁ ଆମେରିକା ଔଷଧ କମ୍ପାନୀ ମଡର୍ନା ମନା କରିଦେଇଛି। କମ୍ପାନୀର ନୀତି ଅନୁଯାୟୀ ଏହା କେବଳ ଭାରତ ସରକାରଙ୍କ ସହ ଟିକା ସମ୍ପର୍କରେ ଡିଲ୍‌ କରିବ ବୋଲି ମଡର୍ନା କର୍ତ୍ତୃପକ୍ଷ ପଞ୍ଜାବ ସରକାରଙ୍କୁ ଜଣାଇଛନ୍ତି। ବିଭିନ୍ନ ବିଦେଶୀ କମ୍ପାନୀଠାରୁ ଟିକା କିଣିବା ପାଇଁ ଅମରିନ୍ଦର ସିଂ ସରକାର ଯୋଗାଯୋଗ ଚଳାଇଥିଲେ। ସ୍ପୁଟନିକ୍‌-ଭି ନିର୍ମାତା ଗାମାଲେୟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି, ଫାଇଜର ଏବଂ ଜନ୍‌ସନ ଆଣ୍ଡ୍‌ ଜନ୍‌ସନ ସହ ଯୋଗାଯୋଗ କରାଯାଇଥିଲା ବୋଲି ଟିକାକରଣର ରାଜ୍ୟ ନୋଡାଲ ଅଫିସର ବିକାଶ ଗର୍ଗ କହିଛନ୍ତି। ମଡର୍ନା ରାଜ୍ୟ ସରକାରଙ୍କ ସହ ଟିକା ଡିଲ୍‌ କରିବାକୁ ଚାହୁଁନାହିଁ। ଅନ୍ୟ କମ୍ପାନୀମାନେ ଏପର୍ଯ୍ୟନ୍ତ କୌଣସି ଜବାବ ଦେଇ ନ ଥିବା ଗର୍ଗ କହିଛନ୍ତି। ସୂଚନାଯୋଗ୍ୟ ଡୋଜ୍‌ ଅଭାବରୁ ପଞ୍ଜାବ ସରକାର ଗତ ୩ ଦିନ ହେଲା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟକୁ ୪.୨ ଲକ୍ଷ ଡୋଜ୍‌ ଭାକ୍ସିନ ମିଳିଥିବାବେଳେ ସେଥିରୁ ୩,୬୫ ଲକ୍ଷ ଡୋଜ୍‌ ଦିଆଗଲାଣି।

Share